ଚଳିତବର୍ଷ ଅକ୍ଷୟତୃତୀୟା ଆସନ୍ତା ୨୨ ଏପ୍ରିଲରେ ପାଳନ କରାଯିବ । ଏପ୍ରିଲ ମାସରେ ପଡୁଥିବା ଏହି ପର୍ବ ଚୈତ୍ର ମାସ ଶୁକ୍ଳପକ୍ଷ ତୃତୀୟା ତିଥିରେ ପଡିଥାଏ । ହିନ୍ଦୁଧର୍ମରେ ଅକ୍ଷୟତୃତୀୟାର ଅନେକ ମହତ୍ୱ ରହିଛି । ଏହିଦିନ ଅନେକ ବ୍ୟକ୍ତି ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ସୁନା ମଧ୍ୟ କିଣିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଏହିଦିନ ଆପଣ ସୁନା ପରିବର୍ତ୍ତେ ଅନ୍ୟ କିଛି ଜିନିଷ ମଧ୍ୟ କିଣିପାରିବେ, ଯାହା ଘରକୁ ଆଣିବା ଶୁଭକର ହୋଇଥାଏ। ତେବେ ଆସନ୍ତୁ ଜାଣିବା କଣ ସେହି ଜିନିଷ. . .
ଶ୍ରୀଯନ୍ତ୍ର :
ଅକ୍ଷୟତୃତୀୟା ଦିନ ମା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ମନ୍ତ୍ର ଜପ କରିବା ସହ ଶ୍ରୀଯନ୍ତ୍ର ମଧ୍ୟ ପୂଜା କରିପାରିବେ। ଏହିଦିନ ଆପଣ ସୁଖ-ସମୃଦ୍ଧି ଏବଂ ସୌଭାଗ୍ୟ ପ୍ରାପ୍ତି ପାଇଁ ଘରକୁ ମା ଲକ୍ଷ୍ମୀଙ୍କ ଶ୍ରୀଯନ୍ତ୍ର କିଣି ଆଣିପାରିବେ । ଏହି ଯନ୍ତ୍ରକୁ ଆପଣ ବିଧିବିଧାନର ସହ ସ୍ଥାପନ କରି ପୂଜା କରନ୍ତୁ । ମାନ୍ୟତା ରହିଛି ଶ୍ରୀଯନ୍ତ୍ର ଦର୍ଶନ କରିବା ମାତ୍ରେ ଭକ୍ତକୁ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।
କଉଡ଼ି :
ମା ଲକ୍ଷ୍ମୀଙ୍କ ପୂଜାରେ କଉଡ଼ିର ଅନେକ ମହତ୍ୱ ରହିଛି। କଉଡ଼ି ବିନା ପୂଜା ଅଧୁରା ବୋଲି କୁହାଯାଇଥାଏ। ସେହିଭଳି ଅକ୍ଷୟତୃତୀୟା ଦିନ ହଳଦିଆ ରଙ୍ଗର କଉଡ଼ି ଆଣି ମା ଲକ୍ଷ୍ମୀଙ୍କୁ ଅର୍ପଣ କରିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଯାଇଥାଏ । ଯଦି ଆପଣ ଏହିଦିନ ସୁନା କିଣିପାରୁନାହାନ୍ତି ତେବେ ଧଳା ରଙ୍ଗର କଉଡ଼ି କୁ କେଶରରେ ରଙ୍ଗ କରି ଲକ୍ଷ୍ମୀଙ୍କ ପୂଜାରେ ଅର୍ପଣ କରନ୍ତୁ ।
ପାରଦ ଶିବଲିଙ୍ଗ :
ଅକ୍ଷୟତୃତୀୟା ମା ଲକ୍ଷ୍ମୀଙ୍କ ସହ ବାବା ଭୋଳାନାଥଙ୍କର କୃପା ମଧ୍ୟ ମିଳିଥାଏ । ଏଥିପାଇଁ ଆପଣ ଏଭଳି ଶୁଭ ଦିନରେ ଘରକୁ ପାରଦ ଶିବଲିଙ୍ଗ ଆଣି ସ୍ଥାପନ କରିବା ସହ ବିଧିବିଧାନର ସହ ପୂଜା କରନ୍ତୁ । ଉଲ୍ଲେଖ ରହିଛି ଏପରି କରିବା ଦ୍ୱାରା ଘରେ ଧନଧାନ୍ୟ ବୃଦ୍ଧି ହେବା ସହ ଆର୍ଥିକ ସମସ୍ୟା ଦୂର ହୋଇଯାଇଥାଏ ।
ଦକ୍ଷିଣାବର୍ତ୍ତୀ ଶଙ୍ଖ :
ଏସବୁ ବ୍ୟତୀତ ଅକ୍ଷୟତୃତୀୟା ଘରକୁ ଦକ୍ଷିଣାବର୍ତ୍ତୀ ଶଙ୍ଖ କିଣି ଆଣିବା ଶୁଭ ବୋଲି କୁହାଯାଇଥାଏ । ମାନ୍ୟତା ରହିଛି ଯେଉଁ ଘରେ ଶଙ୍ଖ ରହିଥାଏ ସେହି ଘରେ କେବେ ବି ଦୁଃଖ-ଦାରିଦ୍ରତା ଦେଖାଯାଇନଥାଏ।ଦକ୍ଷିଣାବର୍ତ୍ତୀ ଶଙ୍ଖ ପୂଜା କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ଦେଖାଯିବା ସହ ମା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ ।