ଦୁନିଆ ଦେଖିବ ଶ୍ରୀକ୍ଷେତ୍ରର ଶ୍ରୀ । ୨୦୨୪ ଜାନୁଆରି ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭ । ଭବ୍ୟ ଉତ୍ସବ ପାଇଁ ସାରା ରାଜ୍ୟରେ ସୃଷ୍ଟି କରାଯିବ ଆଧ୍ୟାତ୍ମିକ ପରିବେଶ । ଯଜ୍ଞର ପୂର୍ଣ୍ଣାହୁତି ଦେବେ ଗଜପତି । ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଜାନୁଆରିରେ ଲୋକାର୍ପଣ ହେବ ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ ପ୍ରୋଜେକ୍ଟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ପ୍ରକଳ୍ପ ପାଇଁ ୩ ଶହ କୋଟି ଖର୍ଚ୍ଚ ହୋଇଥିବା ବେଳେ ଜମି ଅଧିଗ୍ରହଣ ଆଦିକୁ ମିଶାଇଲେ ଖର୍ଚ୍ଚ ୮ ଶହ କୋଟି। ଜାନୁଆରୀ ୧୭ର ଲୋକାର୍ପଣ ଉତ୍ସବକୁ ମହାସମାରୋହରେ ପାଳନ କରିବାକୁ ଯୋଜନା ହୋଇଛି। ଏହି ଉତ୍ସବ ପାଇଁ ସାରା ରାଜ୍ୟରେ ଆଧ୍ୟାତ୍ମିକ ପରିବେଷ ସୃଷ୍ଟି କରାଯିବ। ମନ୍ଦିର ଚାରି ଦ୍ୱାରରେ ବେଦ ପାରାୟଣ ଯଜ୍ଞ, ସଂକୀର୍ତ୍ତନ ସହ ୧୭ ତାରିଖରେ ପୂର୍ଣ୍ଣାହୁତି ଦେବେ ଗଜପତି। ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବରେ ହେବ ଭବ୍ୟ ସମାରୋହ। ୨୦୨୪ ଜାନୁଆରୀ ୧୨ରୁ ଆରମ୍ଭ ହେବ ପ୍ରତିଷ୍ଠା ଉତ୍ସବ। ଜାନୁଆରୀ ୧୨ରୁ ଅଙ୍କୁରାରୋପଣ ପରେ ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦପାଠ ସହ ୧୫ ତାରିଖରୁ ହେବ ପ୍ରତିଷ୍ଠା ପାଇଁ ଯଜ୍ଞ ଉତ୍ସବ। ନୃସିଂହ ମନ୍ତ୍ରରେ ପ୍ରକମ୍ପିତ ହେବ ସିଂହଦ୍ୱାର। ଜାନୁଆରୀ ୧୭ରେ ଯଜ୍ଞର ପୂର୍ଣ୍ଣାହୁତି ଦେବେ ଗଜପତି ମହାରାଜ। କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏପରିକି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯିବ ବୋଲି ପ୍ରସ୍ତାବ ରହିଛି। ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଯଜ୍ଞସ୍ଥଳ ନିର୍ମାଣ କରାଯିବ। ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ ପାଇଁ ତିନିଦିନ ବ୍ୟାପୀ ବେଦପାଠ, ଯଜ୍ଞ, ସଂକୀର୍ତ୍ତନ ଇତ୍ୟାଦି ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ପାଇଁ ପରିଚାଳନା କମିଟି ସ୍ବତନ୍ତ୍ର ବ୍ୟବସ୍ଥା କରିବ।
ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ସଂକୀର୍ତ୍ତନ ମଣ୍ଡଳୀ ଆସି ଶ୍ରୀମନ୍ଦିର ପରିକ୍ରମା କରି ସଂକୀର୍ତ୍ତନ ଦ୍ୱାରା ବାତାବରଣ ଶୁଦ୍ଧ କରିବେ। ଆଉ ଶ୍ରୀମନ୍ଦିର ଚତୁପାର୍ଶ୍ବରେ ଉତ୍କଳୀୟ କଳା ସଂସ୍କୃତି ମହପ୍ରଭୁଙ୍କ ବେଶ ବତିଶ ସହ ବାହାରୁ ଆସୁଥିବା ଅତିଥିମାନଙ୍କ ପାଇଁ ଜଗନ୍ନାଥ ସଂସ୍କୃତିକୁ ଜାଣିବା ପାଇଁ ଅନେକ ବ୍ୟବସ୍ଥା କରାଯିବ। ବଡ଼ଦାଣ୍ଡରେ ଭକ୍ତଙ୍କ ସମାଗମ କମାଇବା ପାଇଁ ଜଗନ୍ନାଥବଲ୍ଲଭ ମଠରୁ ଦୋଳବେଦୀ କୋଣ ପର୍ଯ୍ୟନ୍ତ ଗ୍ରୀନ୍ କରିଡର ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି । ସାତଦିନ ବ୍ୟାପି ହେବାକୁ ଥିବା କାର୍ଯ୍ୟକ୍ରମ ଲାଇଭଷ୍ଟ୍ରିମିଂ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ। ପ୍ରକଳ୍ପ କାର୍ଯ୍ୟକୁ ଡିସେମ୍ବର ୧୫ ସୁଦ୍ଧା ସାରିବା ପାଇଁ କୁହାଯାଇଛି । ମୁଖ୍ୟମନ୍ତ୍ରୀ ବି ଡିସେମ୍ବର ୧୫ରେ ପ୍ରକଳ୍ପର ସମୀକ୍ଷା କରିବେ।
ସେପଟେ ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ ମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ସଫ୍ଟ ହିନ୍ଦୁ କାର୍ଡ ଖେଳିବାକୁ ଚେଷ୍ଟା କରୁଛି ବିଜେଡି। କାମ ନସରୁଣୁ ତରବରିଆ ଭାବେ ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ନିଷ୍ପତ୍ତି ପଛରେ ରାଜନୀତି ରହିଛି । ହେଲେ ଖାଦ୍ୟ ଯୋଗଣା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଜଗନ୍ନାଥ ମହାପ୍ରଭୁ ସମସ୍ତଙ୍କର। ସମସ୍ତେ ମିଳିମିଶି ମହାପ୍ରଭୁଙ୍କ ପାଇଁ କାମ କରିବା ଦରକାର। କିଭଳି ମହାପ୍ରଭୁଙ୍କ କାମ ଠିକ ଭାବରେ ସମାପନ ହୋଇପାରିବ ସେନେଇ ଉଦ୍ୟମ ହେଉ ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହେଉଛି ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ ପ୍ରୋଜକ୍ଟ । ତେଣୁ କାର୍ଯ୍ୟକ୍ରମର ଭବ୍ୟ ଆୟୋଜନ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି।
ଆଜିଠୁ ଆରମ୍ଭ ହେଲା ଝାରସୁଗୁଡ଼ା-କୋଲକାତା ମଧ୍ୟରେ ବିମାନ ଚଳାଚଳ ସେବା । କୋଲକତାରୁ ୭୨ ସିଟ୍ ବିଶିଷ୍ଟ ATR-72 ଆଜି ଝାରସୁଗୁଡ଼ାକୁ ଉଡାଣ ଭରିବ । ପ୍ରତିଦିନ ଇଣ୍ତିଗୋ ସନ୍ଧ୍ୟା ୫ ଟା ୫୦ରେ କୋଲକାତରୁ ଉଡାଣ ଆରମ୍ଭ କରି ୭ଟା ୨୫ରେ ଝାରସୁଗୁଡ଼ା ପହଞ୍ଚିବ । ସେହିପରି ଝାରସୁଗୁଡ଼ାରୁ ସନ୍ଧ୍ୟା ୭ଟା ୫୫ରେ ଉଡାଣ ଆରମ୍ଭ କରି ରାତି ୯ ଟା ୨୦ରେ କୋଲକତାରେ ପହଞ୍ଚିବା ନେଇ ସୂଚନା ରହିଛି । ଅନ୍ୟପକ୍ଷରେ ଆସନ୍ତା ୧୫ ତାରିଖରୁ ଝାରସୁଗୁଡ଼ା-ବେଙ୍ଗାଲୁରୁ ମଧ୍ୟରେ ବିମାନ ସେବା ଆରମ୍ଭ ହେବା ପାଇଁ ଯାଉଛି । ଏହା ପ୍ରତିଦିନ ସକାଳ ୧୦ଟା ୧୫ରେ ବେଙ୍ଗାଲୁରୁରୁ ବାହାରି ଅପରାହ୍ନ ୧୨ଟା ୨୦ରେ ଝାରସୁଗୁଡାରେ ପହଞ୍ଚିବ । ସେହିପରି ଅପରାହ୍ନ ୧୨ ଟା ୫୦ରେ ଝାରସୁଗୁଡ଼ାରୁ ବାହାରି ଦିନ ୨ଟା ୫୫ରେ ବେଙ୍ଗାଲୁରୁରେ ପହଞ୍ଚିବ ବିମାନ । ଯାହା ଦ୍ୱାରା ପଶ୍ଚିମ ଓଡ଼ିଶା ସହିତ ଛଡିଶଗଡ଼ର ଲୋକେ ମଧ୍ୟ ଉପକୃତ ହେବେ ।
ସୂଚନାଥାଉ ଯେ, ବର୍ତ୍ତମାନ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ସ୍ପାଇସଜେଟ୍ ଦିଲ୍ଲୀ, ହାଇଦ୍ରାବାଦ, କୋଲକତାକୁ ବିନା ସେବା ଯୋଗାଇ ଦେଉଥିବା ବେଳେ ଏଲାଏନ୍ସ ଏୟାର ଭୁବନେଶ୍ୱର ବିମାନ ସେବା ପ୍ରଦାନ କରୁଛି ।