ରଙ୍ଗର ପର୍ବ ହୋଲି | ହୋଲିକୁ ନେଇ ସମଗ୍ର ଦେଶ ଉତ୍ସବମୁଖର | କିନ୍ତୁ ଝାଡ଼ଖଣ୍ଡର ଲୋହରଡାଗା ଜିଲ୍ଲାର ବାରହି ଚାଟପୁର ଗାଁରେ ଏକ ନିଆରା ଢଙ୍ଗରେ ପାଳିତ ହୁଏ ହୋଲି | ହୋଲି ଦିନ, ଭୂମିରେ ପୋତା ଯାଇଥିବା ଏକ କାଠ ଖୁଣ୍ଟକୁ କିଛି ଲୋକ ଓପାଡିବାକୁ ଚେଷ୍ଟା କରନ୍ତି | ଏହି ସମୟରେ ସେଠାରେ ଉପସ୍ଥିତ ଅନ୍ୟ ଲୋକମାନେ ତାଙ୍କୁ ଢେଲା ପଥର ମାଡ କରିଥାନ୍ତି | ଯେଉଁମାନେ ଉକ୍ତ ଖୁଣ୍ଟକୁ ଓପାଡିବାରେ ସଫଳ ହୁଅନ୍ତି ସେମାନଙ୍କୁ ଭାଗ୍ୟବାନ ବୋଲି ବିବେଚନା କରାଯାଏ | ତେବେ ଖୁଣ୍ଟ ଓପାଡିବା ଏବଂ ସେମାନଙ୍କ ଉପରକୁ ପଥର ମାଡ କରିବା ପରମ୍ପରା ପଛରେ କୌଣସି ଶତ୍ରୁତା ଉଦେଶ୍ୟ ନଥାଏ | ବରଂ ଏଠାକାର ଲୋକେ ଏହାକୁ ଖେଳ ପରି ଭାବି ଭାଇଚାରା ଭାବନା ସହିତ ଏହି ପରମ୍ପରାକୁ ଅନୁସରଣ କରନ୍ତି | ଏହି ହୋଲି ପାଳନର ଆଉ ଏକ ସ୍ୱତନ୍ତ୍ରତା ହେଲା ଗାଁର ମୁସଲମାନମାନେ ମଧ୍ୟ ଏହି ଖେଳରେ ଅଂଶଗ୍ରହଣ କରନ୍ତି |
ଲୋହରଡାଗାର ଜଣେ ସାମ୍ବାଦିକ ସଞ୍ଜୟ କୁମାର କୁହନ୍ତି, ଏହି ନିଆରା ହୋଲି ପାଳନ ଦେଖିବାକୁ ଆଖପାଖ ଜିଲାରୁ ମଧ୍ୟ ବହୁତ ଲୋକ ଆସିଥାନ୍ତି | କିନ୍ତୁ ଏଥିରେ କେବଳ ଏହି ଗାଁର ଲୋକମାନେ ହିଁ ଅଂଶଗ୍ରହଣ କରିପାରିବେ । ଏହି ପରମ୍ପରା ଶହ ଶହ ବର୍ଷ ଧରି ଚାଲିଆସୁଛି | କେବେ ଠାରୁ ଏହି ପରମ୍ପରା ଆରମ୍ଭ ହେଲା ଏବଂ ଏହା ପଛରେ କାହାଣୀ କ’ଣ କେହି ଜାଣନ୍ତି ନାହିଁ | ହୋଲିକା ଦହନ ଦିନ ପୂଜା ପରେ ଗାଁର ପୁରୋହିତମାନେ କାଠ ଖୁଣ୍ଟକୁ ଭୂମିରେ ପୋତି ଦେଇଥାନ୍ତି | ତା ପରଦିନ ଗାଁର ସମସ୍ତ ଲୋକ ଏକତ୍ରିତ ହୋଇ ଏହାକୁ ହଟାଇବା ଏବଂ ପଥର ଫିଙ୍ଗିବା କାର୍ଯ୍ୟରେ ଭାଗ ନେଇଥାନ୍ତି ।
ବିଶ୍ୱାସ କରାଯାଏ ଯେ, ଯେଉଁମାନେ ପଥର ଦ୍ୱାରା ଆଘାତ ହେବାର ଭୟକୁ ଭୃକ୍ଷେପ ନକରି ଖୁଣ୍ଟ ଓପାଡିବାକୁ ଯାଆନ୍ତି, ସେମାନଙ୍କୁ ସୁଖ ଏବଂ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ | ଏହି ଲୋକମାନେ ସତ୍ୟର ପଥରେ ଚାଲୁଥିବା ବିବେଚନା କରାଯାଏ | ପଥର ମାଡ଼ରେ ଆଜି ପର୍ଯ୍ୟନ୍ତ କେହି ବି ଗୁରୁତର ଆହତ ହୋଇନଥିବା ଗ୍ରାମବାସୀ କୁହନ୍ତି |