ଗଞ୍ଜାମ,(ଏନଏନଏସ ଓଡ଼ିଆ /୨୬.୦୩): ଗଞ୍ଜାମ ଜିଲ୍ଲା ର ପାରମ୍ପରିକ ପ୍ରସିଦ୍ଧ ଦଣ୍ଡଯାତ୍ରା ପ୍ରତିବର୍ଷ ଚୈତ୍ର ମାସରେ ଆରମ୍ଭ ହୋଇଥାଏ । ପ୍ରତି ପଞ୍ଚାୟତ ରେ ଏହି ଉତ୍ସବ କେଉଁଠି ୧୩ ଦିନ ତ ଆଉ କେଉଁଠି ୧୫ଦିନ ,୧୮ଦିନ,୨୧ ଦିନ ଧରି ଯାତ୍ରା ଚାଲିଥାଏ । ସେଥିରେ ଅଂଶ ଗ୍ରହଣ କରୁଥିବା ଶ୍ରଦ୍ଧାଳୁ ଙ୍କୁ କାମିନିକା କୁହାଯାଏ ଏବଂ ଏହି ପର୍ବରେ ଅନେକ ନିଷ୍ଠାର ସହିତ ଉପବାସ ରହିବାକୁ ପଡ଼ିଥାଏ । ସମସ୍ତେ ଆସନ୍ତା ସଂକ୍ରାନ୍ତି କିମ୍ବା ମାସନ୍ତରେ ସମାପ୍ତି କରିଥାନ୍ତି । ଶନିବାର କବିସୂର୍ଯ୍ୟନଗର ସହର ର ମେରୁ ପୋଖରୀ ରେ ରୀତି ନୀତି ଅନୁଯାୟୀ ମହାମାୟୀ ଦଣ୍ଡ କାଳୀ ଙ୍କ ଠାରେ ପୂଜାର୍ଚନା କରିବା ପରେ ମାନସିକ ଧାରୀ ଦଣ୍ଡୁଆମାନେ,ଆମ୍ବ ପତ୍ରରେ ଦାନ୍ତ ଘଷି,ସ୍ନାନ କରି ପବିତ ଧାରଣ ସହିତ ପାଣିଦଣ୍ଡ କରି 21 ଦିନିଆ ସକାଶେ ବ୍ରତ ପାଳନ ଆରମ୍ଭ କରିଛନ୍ତି । ଉପବାସ ରହି ନବାତ,କଦଳୀ ରେ ପ୍ରସ୍ତୁତ ହୋଇଥିବା ପଣା କୁ ସେବନ କରି ସାରାଦିନ ଉପବାସ ରହିଥାନ୍ତି । ପରେ ଦଣ୍ଡ କାଳୀ ପରବା ଧରି ନଗର ପରୀକ୍ରମା କରି ଦ୍ୱାର ଦ୍ଵାର ବୁଲି ଶ୍ରଦ୍ଧାଳୁ ମାନଙ୍କୁ ମୟୂର ପିନ୍ଛ ଦ୍ବାରା ଝାଡି ବଢ଼ିଥିବା ଭୋଗକୁ ପୂଜା କରାଯାଇଥା।
ଶନିବାର କବିସୂର୍ଯ୍ୟନଗର ସହର ର ତିନି ଟି ଦଣ୍ଡକାଳୀ ମନ୍ଦିର ରୁ ତିନି ପୁଞ୍ଜା ଦଣ୍ଡୁଆ ଦଳ ନିଜ ନିଜ ଦଣ୍ଡକାଳୀ ଙ୍କୁ ଧରି ନଗର ପରିକ୍ରମା କରିଥିଲେ । ଅପରାହ୍ନ ରେ ମାନସିକଧାରି ଭକ୍ତ ଙ୍କ ଦୁଆରେ ମାନସିକ ପୂରଣ ପାଇଁ ଧୂଳି ଦଣ୍ଡ, ପାଣି ଦଣ୍ଡ, ଅଗ୍ନି ଦଣ୍ଡ କରିବା ପରେ ମଧ୍ୟରାତ୍ରି ରେ କେବଳ ଅର୍ଣ୍ଣ ଏବଂ ଡାଲି ,ମା କାଳୀ ଙ୍କୁ ଭୋଗ ଲଗାଇ ,ସମସ୍ତ ଦଣ୍ଡୁଆ ସୀମିତ ସମୟ ମଧ୍ୟରେ ପ୍ରସାଦ ପାଇଥାନ୍ତି । ଏହିପରି ପ୍ରତିଦିନ ମାନସିକ ଧାରି ଭକ୍ତଙ୍କ ଦୁଆରେ କାଳୀ ନୃତ୍ୟ କରିବା ପରେ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହି ପରମ୍ପରା ବହୁ ବର୍ଷ ଧରି ପାଳନ ହୋଇଆସୁଛି।
ଏହିପରି ଗାଁ ଗାଁ ଖାଲି ପାଦରେ ବୁଲି ବୁଲି ୨୧ଦିନ ଅତିକ୍ରମ ହୋଇଥାଏ । ମଧ୍ୟାହ୍ନ ସମୟରେ ଶରୀର କଷ୍ଟକୁ ପଛରେ ପକାଇ ଦଣ୍ଡ ଖେଳ ଖେଳିଥାନ୍ତି । ରାତିରେ ଏହି କମିନିକା ମାନଙ୍କୁ ଧରି ମାନସିକ ଧାରୀ ଭକ୍ତ ଙ୍କ ଦୁଆରେ ଉଜାଗର ରହୁଥିବା ରୁ ମନୋରଞ୍ଜନ କାର୍ଯ୍ୟକ୍ରମ ନାଟକ ପରିବେଷଣ କରାଯାଇଥାଏ।. କେହି କେହି ଦଣ୍ଡ ସୁଆର ମଧ୍ୟ କରିଥାନ୍ତି । କବିସୂର୍ଯ୍ୟନଗର ର ପରିଡା ପାର୍ଟି, ମାଝୀ ପାର୍ଟି ଓ ଧୋବା ପାର୍ଟି ତିନି ଦଳ ର ଦଣ୍ଡୁଆ ମାନେ ମା ଦଣ୍ଡକାଳୀ ଙ୍କୁ ଧରି ଢୋଲ, କାହାଳି, ଗିନି, ଘଣ୍ଟ ବଜାଇ ପରିକ୍ରମା କରୁଥିବାବେଳେ ଆଜି ନଗର ଉତ୍ସବମୁଖର ହୋଇପଡିଥିବା ଦେଖିବାକୁ ମିଳିଛି। ସେହିପରି ଜିଲ୍ଲା ରେ ପୁରୁଷୋତ୍ତମପୁର, ବାଣନଈ, କୁଲାଗଡ଼, ଭଳି ବିଭିନ୍ନ ଗାଁ ରେ ମଧ୍ୟ ଦଣ୍ଡଯାତ୍ରା ଆରମ୍ଭ ହୋଇଛି । ଏହି ଯାତ୍ରା ଆସନ୍ତା ବିଷୁବ ସଂକ୍ରାନ୍ତି ଦିନ ମେରୁ ପର୍ବ ରେ ଉଦଯାପିତ ହେବା ଜଣାଯାଇଛି।