ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ବ୍ୟବସାୟିକ ବିମାନ ଚଳାଚଳ ପାଇଁ ଡିଜିସିଏ ବା ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟକୁ ଚିଠି ଲେଖିଛି ତାଲିବାନ । ଡିଜିସିଏ ମୁଖ୍ୟ ଅରୁଣ କୁମାରଙ୍କୁ ସମ୍ବୋଧିତ କରି ଏହି ଚିଠିରେ କୁହାଯାଇଛି ଯେ କାବୁଲ ବିମାନବନ୍ଦର “ଆମେରିକାର ସୈନ୍ୟଙ୍କ ପ୍ରତ୍ୟାହାର ପୂର୍ବରୁ କ୍ଷତିଗ୍ରସ୍ତ କରାଯାଇଥିଲା – କିନ୍ତୁ ଏବେ କତାର ସାହାଯ୍ୟରେ ଏହା ପୁନଃ କାର୍ଯ୍ୟକ୍ଷମ ହୋଇପାରିଛି ଏବଂ ଏ ବାବଦରେ ସେପ୍ଟେମ୍ବର ୬ ତାରିଖରେ ଏକ NOTAM (ବିମାନ କର୍ମଚାରୀଙ୍କୁ ନୋଟିସ) ଜାରି କରାଯାଇଥିଲା । ଏହି ଚିଠିରେ ତାଲିବାନର ବିମାନ ଚଳାଚଳ ମନ୍ତ୍ରୀ ହମିଦୁଲ୍ଲା ଅଖୁନଜାଦା ଲେଖିଛନ୍ତି ଯେ, ସ୍ବାକ୍ଷରିତ ଏମଓୟୁ ଏବଂ ଆମର ଜାତୀୟ ପରିବହନକାରୀ ଉପରେ ଆଧାର କରି ଦୁଇ ଦେଶ ମଧ୍ୟରେ ଯାତ୍ରୀଙ୍କ ଯାତାୟାତ ପାଇଁ ବିମାନ ଉଡାଣ ଆରମ୍ଭ କରିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ । ତେଣୁ ଆଫଗାନିସ୍ତାନର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ଆପଣଙ୍କୁ ବାଣିଜ୍ୟିକ ବିମାନ ସୁବିଧା କରିବାକୁ ଅନୁରୋଧ କରୁଛୁ । ଅପରପକ୍ଷେ ପୂର୍ବରୁ ଅଗଷ୍ଟ ୧୫ ପରେ ତାଲିବାନ ଆଫଗାନିସ୍ତାନର ରାଜଧାନୀରେ ପ୍ରବେଶ କରି ସାରା ଦେଶକୁ ନିୟନ୍ତ୍ରଣ କରିବା ପରେ ଭାରତ କାବୁଲକୁ ସମସ୍ତ ବାଣିଜ୍ୟିକ ବିମାନ ଚଳାଚଳ ବନ୍ଦ କରି ଦେଇଥିଲା। କାବୁଲରୁ ଏପର୍ଯ୍ୟନ୍ତ କେବଳ ସୀମିତ ସଂଖ୍ୟକ ସହାୟତା ଏବଂ ଯାତ୍ରୀବାହୀ ବିମାନ ଚଳାଚଳ କରୁଛି। ତେବେ ଆଫଗାନିସ୍ତାନକୁ ଭାରତୀୟ ବିମାନ ଚଳାଚଳ ଭାରତୀୟ ସୁରକ୍ଷା ବ୍ୟବସ୍ଥାକୁ ପ୍ରଭାବିତ କରିବନି ତ । ଅନ୍ୟପଟେ ଆଫଗାନିସ୍ତାନରେ ତାଲିବାନର ଆତଙ୍କ ବିଷ୍ୟୟରେ ପୁରା ଦୁନିଆ ଅବଗତ । ଯେଉଁଥିପାଇଁ ଆଫଗାନ ନାଗରିକ ମାନଙ୍କର ଦେଶ ଛାଡି ପଳାୟନ କରିବାର ଦୁଃଖଦ ଦୃଶ୍ୟ ଦେଖିବା ପରେ, ତାଲିବାନକୁ ଅନେକ ଦେଶ ପକ୍ଷରୁ ଆତଙ୍କବାଦୀର ଆଖ୍ୟା ଦିଆ ଯାଉଥିବା ବେଳେ ଏଭଳି ଚୁକ୍ତି କଣ ଭାରତ ପାଇଁ ଉପଯୁକ୍ତ ନିଷ୍ପତ୍ତି ହେବ । ତେବେ ଦେଖାଯାଉ ଏହି ଚିଠିକୁ ନେଇ ଭାରତ ପକ୍ଷରୁ କେଉଁ ପ୍ରକାରର ପଦକ୍ଷେପ ନିଆ ଯାଉଛି ।
#Afghanistan #taliban #NNSODIA