ଦିଲ୍ଲୀ ଉପରାଜ୍ୟପାଳ ଓ କେଜ୍ରିଓ୍ବାଲଙ୍କ ନେତୃତ୍ବାଧୀନ ଆପ ସରକାର ପୁଣି ଏକ ନୂଆ ପ୍ରସଙ୍ଗରେ ସାମ୍ନାସାମ୍ନି ହୋଇଛନ୍ତି । ଅପରାଧିମାନଙ୍କ ମାମଲାର ତଦନ୍ତ ପାଇଁ ଦିଲ୍ଲୀ ସରକାର ଗଠନ କରିଥିବା ଷ୍ଟାଣ୍ଡିଂ କମିଟିକୁ ଉପରାଜ୍ୟପାଳ ବିନୟ ସକ୍ସେନା ଆଜି ଭଙ୍ଗ କରି ଦେଇଛନ୍ତି । ସର୍ବୋଚ୍ଚ କୋର୍ଟଙ୍କ ପ୍ରଦତ୍ତ ଗାଇଡଲାଇନକୁ ଏହାର ଗଠନ ବେଳେ ଅନୁପାଳନ କରାଯାନଥିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ରାଜଭବନ ପକ୍ଷରୁ କୁହାଯାଇଛି ।
ରାଜଭବନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ୨୦୧୪ ରେ ସର୍ବୋଚ୍ଚ କୋର୍ଟ ଜାରି କରିଥିବା ନିର୍ଦ୍ଦେଶର ଅନୁପାଳନ କରାଯାଇ ଏହି କମିଟି ଗଠନ କରାଯାଇନଥିଲା । ତେଣୁ ଏହାକୁ ଅବୈଧ ଘୋଷଣା କରିବା ସହ ଉପରାଜ୍ୟପାଳ ବିନୟ ସକ୍ସେନା ଭଙ୍ଗ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଏହା ସହ ଉଚିତ ପ୍ରକ୍ରିୟା ଅବଲମ୍ବନ କରି କମିଟିର ପୁନର୍ଗଠନ କରିବା ପାଇଁ ମଧ୍ୟ ଉପରାଜ୍ୟପାଳ ଅନୁମୋଦନ ମଧ୍ୟ ଦେଇଛନ୍ତି । ତେବେ ଏନେଇ ଆପ ପକ୍ଷରୁ କୌଣସି ପ୍ରତିକ୍ରିୟା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନି ।ବର୍ତ୍ତମାନର ଦିଲ୍ଲୀ ସରକାର ଗଠନ କରିଥିବା ଏହି କମିଟିକୁ ଜାରି ରଖିବାର କୌଣସି କାରଣ କିମ୍ବା ଯଥାର୍ଥତା ନାହିଁ ବୋଲି ଉପରାଜ୍ୟପାଳ ସକ୍ସେନା କହିଛନ୍ତି । ତାଙ୍କ ପୂର୍ବରୁ ଦିଲ୍ଲୀ ଉପରାଜ୍ୟପାଳ ଥିବା ଅନିଲ ବୈଜଲ ମଧ୍ୟ ଏହାକୁ ବାରମ୍ବାର ବିରୋଧ କରିଥିଲେ ।୨୦୧୭ ମସିହା ୧୧ ତତ୍କାଳୀନ ଉପରାଜ୍ୟପାଳ ବୈଜଲ ଏହି ପ୍ରସଙ୍ଗରେ ଦିଲ୍ଲୀ ସରକାରଙ୍କୁ ଚିଠି ଲେଖିଥିଲେ । ଏହି କମିଟିର ଗଠନକୁ ପୁନଃସମୀକ୍ଷା କରିବା ଓ ଏହାକୁ ସର୍ବୋଚ୍ଚ ଅଦାଲତର ଆଦେଶ ସହିତ ଅନୁରୂପ ଭାବେ ପୁନର୍ଗଠନ କରିବା ପାଇଁ ସେ ଚିଠିରେ ଉଲ୍ଲେଖ କରିଥିଲେ । ହେଲେ ଦିଲ୍ଲୀ ସରକାର କୌଣସି ତତ୍ପରତା ଦେଖାଇନଥିଲା । ଏହି ପ୍ରସ୍ତାବ ସମ୍ପର୍କରେ ବିଚାର କରିବା ପାଇଁ ରାଜଭବନ ସଚିବାଳୟ ୨୦୧୮ ମସିହା ଫେବୃଆରୀ ୧୯ ତାରିଖ, ଜୁନ୍ ୨୨ ତାରିଖ, ୨୦୧୮ ମସିହା ଅକ୍ଟୋବର ୧୮ ତାରିଖ, ୨୦୧୯ ମେ ୩୧ ରେ ମଧ୍ୟ ସରକାରଙ୍କୁ ଚିଠି ଲେଖିଥିଲା।