୨୦ ବର୍ଷ ତଳେ ଆଜିର ଦିନରେ ଆତଙ୍କବାଦୀ ରଚିଥିଲେ ଷଡଯନ୍ତ୍ର। ସଂସଦ ଭବନ ଉପର କରିଥିଲେ ଆକ୍ରମଣ । ୨୦୦୧ ଡିସେମ୍ବର ୧୩ ତାରିଖରେ ସଂସଦର ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ହୋଇଥିଲା ଗୁଳିମାଡ । ଦେଶର ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ଜୈସ୍ ଏ ମହମ୍ମଦ ଓ ଲସ୍କର ଏ ତୋଇବାର ୫ ଜଣ ଆତଙ୍କବାଦୀ ସଂସଦ ଭବନ ଉପରକୁ କରିଥିଲେ ଗୁଳିମାଡ । ୪୫ ମିନିଟ ମଧ୍ୟରେ ୫ ଜଣ ଆତଙ୍କବାଦୀଙ୍କ ଏହି ଆଖିବୁଜା ଗୁଳିମାଡରେ ଆଖି ବୁଜିଥିଲେ ୯ ନିରୀହ ଜୀବନ । ସାହସୀ ସୈନିକମାନେ ଆତଙ୍କବାଦୀଙ୍କୁ ଦେଇଥିଲେ ପାଲଟା ଜବାବ । ଏହି ଆକ୍ରମଣରେ ସମସ୍ତ ପାଞ୍ଚଜଣ ଆତଙ୍କବାଦୀ ନିହତ ହୋଇଥିଲେ । ସଂସଦ ଭବନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଥିଲା । ୧୩ ଡିସେମ୍ବର ୨୦୦୧ ରେ ସଂସଦରେ ଭବନରେ ଚାଲିଥିଲା ଶୀତ ଅଧିବେଶନ । ବିପକ୍ଷଙ୍କ ଜବରଦସ୍ତ ହଙ୍ଗାମା ଯୋଗୁଁ ୪୦ ମିନିଟ ଯାଏଁ ଗୃହକୁ ମୁଲତବୀ ରଖିଥିଲେ ବାଚସ୍ପତି । ଆଉ ଗୃହ ମୁଲତବୀ ପରେ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ଓ ବିପକ୍ଷ ଦଳର ନେତା ସୋନିଆ ଗାନ୍ଧୀ ଗୃହରୁ ବାହାରି ନିଜ ନିଜ ବାସଭବନ ଅଭିମୁଖେ ବାହାରି ପଡିଥିଲେ । ହେଲେ ଗୃହମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଓ କିଛି ନେତା ଗୃହରେ ଉପସ୍ଥିତ ଥିଲେ । ଏହି ସମୟରେ ଏକ ଧଳା ଆମ୍ବାସାଡାର କାର ସଂସଦ ଭବନ ପରିସର ଭିତରକୁ ପଶି ଆସିଥିଲା । ପରେ ଗାଡିରୁ ୫ ଜଣ ଆତଙ୍କବାଦୀ ବାହାରି ସଂସଦ ଭବନ ଉପରକୁ ଆଖିବୁଜା ଗୁଳି ମାଡ କରିଥିଲେ । ସଂସଦ ଉପରେ ଆକ୍ରମଣର ୧୨ ବର୍ଷ ପରେ ଅଫଜଲ ଗୁରୁକୁ ୨୦୧୩ ଫେବ୍ରୁଆରୀ ୯ରେ ଦିଆଯାଇଥିଲା ଫାଶୀ ।