ଏବେ ସିନେମା ହଲ୍ ରେ ରିଲିଜ୍ ହୋଇଛି ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ । ନିର୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଏହି ଫିଲ୍ମ ଏବେ ବେଶ ଚର୍ଚ୍ଚାରେ । କାଶ୍ମୀର ହିନ୍ଦୁମାନଙ୍କ ଅତ୍ୟାଚାର ଉପରେ ନିର୍ମାଣାଧୀନ ଏହି ଫିଲ୍ମ ‘କାଶ୍ମୀର ଫାଇଲ’ ରିଲିଜ ହେବା ପୂର୍ବରୁ ଦେଖାଦେଇଥିଲା ଅନେକ ବିବାଦ | ଫଳରେ ଏହାର କିଛି ଦୃଶ୍ୟକୁ ଦିଆଯାଇଛି ବାଦ୍ । କାଶ୍ମୀର ପଣ୍ଡିତଙ୍କ ଦେଶ ଛାଡିବାର ଦୁଃଖର କାହାଣୀକୁ ଏହି ମୁଭିରେ ଅତି ସୁନ୍ଦର ଭାବେ କରାଯାଇଛି ବର୍ଣ୍ଣନା । 11 ତାରିଖରେ ରିଲିଜ୍ ହେବା ପରେ ଦର୍ଶକଙ୍କ ବେଶ ଆଦୃତି ଲାଭ କରିଛି ଏହି ଫିଲ୍ମ |
ଏହି ଚଳଚ୍ଚିତ୍ରରେ ଜାମ୍ମୁରେ କାଶ୍ମୀର ପଣ୍ଡିତମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍କ୍ରିନିଂ ରହିଥିଲା |1990 ରେ କାଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ନରସଂହାର ଦେଖି ଦର୍ଶକ ଏତେ ଭାବପ୍ରବଣ ହୋଇଯାଇଥିଲେ ଯେ, ନିଜ କୋହକୁ ସମ୍ଭାଳି ପାରିନଥିଲେ | ଏହି ମୁଭିରେ ଥିବା ଅଧିକାଂଶ ଦୃଶ୍ୟ ଦେଖି ହଲ ଭିତରେ କାନ୍ଦି ଉଠିଥିଲେ ଦର୍ଶକ | ହଲ ବାହାରେ ଫିଲ୍ମର କାହାଣୀ ଜଣାଇବା ବେଳେ ଜଣେ ବ୍ୟକ୍ତି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ | ସେ କହିଛନ୍ତି ଏହା ଏକ ଚଳଚ୍ଚିତ୍ର ନୁହେଁ, ବରଂ ଏହା ହେଉଛି ଏହି ଦେଶର ସତ୍ୟ | ଯାହା ଆମ ଦେଶର ନକଲି ଧର୍ମନିରପେକ୍ଷମାନଙ୍କ ଦ୍ୱାରା ଲୁଚାଇକି ରଖାଯାଇଥିଲା | ଏହି ସତ୍ୟକୁ ସାମ୍ନାକୁ ଆଣିଥିବାରୁ ମୁଁ ନିର୍ଦେଶକ ବିବେକ ରଂଜନ ଅଗ୍ନିହୋତ୍ରୀଙ୍କୁ ଧନ୍ୟବାଦ ଜଣାଉଛି | ସେହିଭଳି ହଲ୍ ଭିତରେ ଫିଲ୍ମଟିକୁ ଦେଖିବା ପରେ ଦର୍ଶକ ଛିଡା ହୋଇ କାଶ୍ମୀରରେ ନିର୍ଯାତିତ ହୋଇଥିବା ଓ ପ୍ରାଣ ହରାଇଥିବା ହିନ୍ଦୁଙ୍କ ପ୍ରତି ନିଜର ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ । ଯାହାର ଭିଜୁଆଲ ଏବେ ବେଶ ଭାଇରାଲ ହେବାରେ ଲାଗିଛି ।
‘ଦ କାଶ୍ମୀର ଫାଇଲ୍ସ’ ଏକ ସତ କାହାଣୀ ଉପରେ ଆଧାରିତ | ଯାହାକି କାଶ୍ମୀରୀ ପଣ୍ଡିତ ସମ୍ପ୍ରଦାୟର ନରସଂହାର ବିଷୟରେ ବର୍ଣ୍ଣନା କରିଥାଏ | ଆତଙ୍କବାଦୀମାନେ ସେମାନଙ୍କୁ ନିଜ ଘରୁ ପଳାଇବାକୁ ବାଧ୍ୟ କରିଥିଲେ। ଏହା କାଶ୍ମୀର ପଣ୍ଡିତମାନଙ୍କ ଯନ୍ତ୍ରଣା, ପୀଡା, ସଂଘର୍ଷ ଏବଂ ଆଘାତର ଏକ ହୃଦୟ ବିଦାରକ କାହାଣୀ | ଏଥିସହିତ ଏହା ଗଣତନ୍ତ୍ର, ଧର୍ମ, ରାଜନୀତି ଏବଂ ମାନବିକତା ବିଷୟରେ ଆଖି ଖୋଲିବା ତଥ୍ୟ ଉପରେ ପ୍ରଶ୍ନ ଉଠାଉଛି | ଏହି ମୁଭିରେ ଅନୁପମ ଖେର, ମିଥୁନ ଚକ୍ରବର୍ତ୍ତୀ, ପଲ୍ଲଭି ଯୋଶୀ ଏବଂ ଦର୍ଶନ କୁମାର ବେଶ ଦମଦାର ଅଭିନୟ କରିଛନ୍ତି। ଏଥିରେ ଅନୁପମ ଖେର୍ ଓ ମିଥୁନ୍ ଚକ୍ରବର୍ତ୍ତୀଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରୁଛନ୍ତି । ଏହି ଫିଲ୍ମକୁ ବିରୋଧ କରାଯାଇଥିଲେ ବି ହରିୟାଣାରେ ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିଦିଆଯାଇଛି । ଏହି ଚଳଚ୍ଚିତ୍ର ମାଧ୍ୟମରେ ବିବେକ 30 ବର୍ଷ ଧରି ଯନ୍ତ୍ରଣା ଭୋଗୁଥିବା କାଶ୍ମୀରୀ ପଣ୍ଡିତଙ୍କ ପାଇଁ ନ୍ୟାୟ ପାଇବା ବିଷୟରେ କହିଥିଲେ।