ସେଦିନ ଥିଲା ୧୯୯୯ ମସିହା ଅକ୍ଟୋବର ମାସ ୨୯ ତାରିଖ । ହଠାତ୍ ଆକାଶରେ ଘୋଟି ଆସିଲା କଳା ବାଦଲ । ସୁ ସୁ ଆରମ୍ଭ ହୋଇଗଲା ଅଣଚାଷ ପବନ ସାଙ୍ଗକୁ ଚମକାଇ ଦେଲା ଭଳି ବିଜୁଳି ଆଉ ମୂଷଳଧାରା ବର୍ଷା । ଧିରେ ଧିରେ ଆଶାନ୍ତ ହେଲା ସମୁଦ୍ର । ଉପୁଡିଲା ବଡ ବଡ ଗଛ ଆଉ ଭାଙ୍ଗିଲା ଶହ ଶହ ଘର । ନିଶ୍ଚିହ୍ନ ହୋଇଗଲା ଗାଁ ଗଣ୍ଡା । ଯେଉଁ ଆଡେ ଦେଖିବ ଖାଲି ପାଣି ଆଉ କୁଢ କୁଢ ମୃତଦେହ । ମହାବାତ୍ୟାର କୋପରେ ବେଶୀ ପ୍ରଭାବିତ ହୋଇଥିଲା ଜଗତସିଂହପୁର ଜିଲ୍ଲାର ଏରସମା ଓ ବାଲିକୁଦା ଅଞ୍ଚଳ । ଚାରିଆଡେ ପ୍ରଳୟର ପାଦ ଚିହ୍ନ ଛାଡି ଯାଇଥିଲା ମହାବାତ୍ୟା । ସେଦିନ ଏମିତି ଥିଲା ସେ ଛାତିଥରା ଦୃଶ୍ୟ । ଚିହ୍ନଅକ୍ଟୋବର ୨୫ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା ଲଘୁଚାପ । ଆଉ ତା ପ୍ରଭାବରେ ଆରମ୍ଭ ହୋଇଥିଲା ପବନ ଆଉ ବର୍ଷା । ଧିରେ ଧିରେ ପବନର ବେଗ ବଢିବା ସାଙ୍ଗକୁ ଦ୍ରୁତ ଗତିରେ ଓଡିଶାମୁହାଁ ହୋଇଥିଲା ବାତ୍ୟା । ଭୀଷଣ ସାମୁଦ୍ରିକ ଝଡର ରୂପ ନେଇଥିଲା ବିନାଶକାରୀ ବାତ୍ୟା । ଅକ୍ଟୋବର ୨୯ ତାରିଖରେ ଜଗତସିଂହପୁରର ଏରସମାରେ ହିଟ କରିଥିଲା ବାତ୍ୟା । ସେହି ସମୟରେ ଘଣ୍ଟାପ୍ରତି ୨୮୦ରୁ ୩୦୦ କିଲୋମିଟର ବେଗରେ ପବନ ବହିଥିଲା । ସମୁଦ୍ରରୁ ପାଖାପାଖି ୩୦ ଫୁଟ ଉଚ୍ଚ ଜୁଆର ଉଠିଥିଲା । ନିମିଶକେ ମଧ୍ୟରେ ସବୁ କିଛି ଛାରଖାର ହୋଇଯାଇଥିଲା । କେହି କିଛି ଜାଣିବା ପୂର୍ବରୁ ଏରସମା ବ୍ଲକର ଜପା, ଦହିବର, ଟାଙ୍କଳ ଆଦି ଗ୍ରାମକୁ ମାଡି ଆସିଲା ପାଣି । କିଏ ବାପାକୁ ହରାଇଥିଲା ତ କିଏ ସ୍ବାମୀକୁ । ବାତ୍ୟାରେ ପ୍ରାୟ ୧୦ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ପଶୁପକ୍ଷୀଙ୍କ ମୃତ୍ୟୁର ହିସାବ ଆକଳନ ବାହାରେ ଥିଲା । ଅନ୍ଧାର ରାତି ଓ ଭୋକ ଉପାସରେ କେତେ ଯେ ରାତି କଟିଥିଲା ତାହା ମନେକାଇଲେ ଆଜିବି ପ୍ରଭାବିତଙ୍କ ଦେହ ଶିହରି ଉଠୁଛି । ପରିବାର ଲୋକ ଓ ଆତ୍ମୀୟଙ୍କୁ ହରାଇ ଆଜି ବି କାନ୍ଦୁଛନ୍ତି ପରିବାର ଲୋକ । ମହାବାତ୍ୟାକୁ ୨୨ ବର୍ଷ ପୂରଣ ହୋଇଛି । ଅଣ୍ଟା ସଳଖି ଛିଡାହେବା ଶିଖିଛନ୍ତି ଏରସମାବାସୀ । ଏରସମା ଅଞ୍ଚଳରେ ବିକାଶର ଧାରାକୁ ଆଗକୁ ନେବା ପ୍ରୟାସ ଆରମ୍ଭ ହୋଇଛି । ସେଦିନର କଅଁଳ ଶିଶୁ ଏବେ ଯୁବକ । କିଛି କରିବାକୁ ଆଖିରେ ଆଖିଏ ସ୍ବପ୍ନ । ତେବେ ବର୍ତ୍ତମାନ ବଦଳିଛି ଚିତ୍ର । ବାତ୍ୟା ଆସିବା ଆଗରୁ ଲୋକଙ୍କୁ ମିଳୁଛି ପୂର୍ବବର୍ତ୍ତୀ ସୂଚନା । ହେଲେ ମହାବାତ୍ୟା ଯେଉଁ କ୍ଷତ ଦେଇଯାଇଛି ତାକୁ କେହି ବି ଭୁଲି ନାହାନ୍ତି । ଆଜି ବି ତାହା ତାଜା ଓ ସତେଜ । ସେ ଦିନର ଦୃଶ୍ୟ ମନେ ପଡିଲେ ଆଖି ଓଦା ହୋଇଯାଏ ବୋଲି କୁହନ୍ତି ପ୍ରଭାବିତ