ପରଲୋକରେ ରାମୋଜୀ ରାଓ ଗ୍ରୁପର ପ୍ରତିଷ୍ଠାତା ସି. ରାମୋଜୀ ରାଓ । ଆଜି ଭୋରରୁ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ତେବେ ଗତକାଲି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେବା ପରେ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଆଜି ଭୋର ୩ଟା ୩୫ ମିନିଟ ସମୟରେ ତାଙ୍କର ଦେହାନ୍ତ ହୋଇଛି । ତେବେ ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷବୟସହୋଇଥିଲା । ସି.ରାମୋଜୀ ରାଓଙ୍କ ପାର୍ଥୀବ ଶରୀର ରାମୋଜୀ ଫିଲ୍ମ ସିଟିସ୍ଥିତ ତାଙ୍କ ବାସଭବନକୁ ନିଆଯାଇଛି । ସେଠାରେ ସର୍ବସାଧାରଣ ତାଙ୍କ ଶେଷ ଦର୍ଶନ କରିପାରିବେ ।ଏହାପରେ ତାଙ୍କ ଅନ୍ତିମ ସତ୍କାର କରାଯିବ ।ଗଣମାଧ୍ୟମ, ସିନେମା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଦ୍ବିତୀୟ ସର୍ବୋଚ୍ଚ ସମ୍ମାନ ‘ପଦ୍ମବିଭୂଷଣ’ରେ ସମ୍ମାନିତ କରାଯାଇଥିଲା । ସେ ଥିଲେ ବିଶ୍ୱର ସର୍ବବୃହତ୍ତ ଫିଲ୍ମସିଟି ‘ରାମୋଜୀ ଫିଲ୍ମସିଟି’ର ପ୍ରତିଷ୍ଠାତା । ନିଜ ଜମିରେ ସେ ‘ରାମୋଜୀ ଫିଲ୍ମସିଟି’ର ନିର୍ମାଣ କରାଇଥିଲେ। ଏଠାରେ ବହୁ ବିଶ୍ୱସ୍ତରୀୟ ଫିଲ୍ମର ସୁଟିଂ ହୋଇଛି। ‘ରାମୋଜୀ ଫିଲ୍ମସିଟି’ ଏକ ବିଶ୍ୱସ୍ତରୀୟ ପର୍ୟ୍ୟଟନ ସ୍ଥଳୀ। ଦେଶ ତଥା ଦେଶ ବାହାରୁ ବହୁ ପର୍ୟ୍ୟଟକ ଏଠାକୁ ଆସିଥାନ୍ତି।ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ରାଓଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଅପରାହ୍ନରେ ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ।ମିଡିଆ ଓ ଭାରତୀୟ ଫିଲ୍ମ ଶିଳ୍ପ ପ୍ରତି ରାମୋଜୀ ରାଓଙ୍କ ଅବଦାନ ଅତୁଳନୀୟ। ତାଙ୍କ ବିୟୋଗ ସମସ୍ତ ମନୋରଞ୍ଜନ ଶିଳ୍ପ ପ୍ରତି ଏକ ଗଭୀର କ୍ଷତି। ରାମୋଜୀ ରାଓ ୧୯୮୩ ମସିହାରେ ଫିଲ୍ମ ନିର୍ମାଣ କମ୍ପାନୀ ‘ଉଷାକିରଣ ମୁଭିଜ’ର ସ୍ଥାପନା କରିଥିଲେ। ବିଭିନ୍ନ କ୍ଷେତ୍ରରେ ନିଜ ପାରଦର୍ଶୀତା ନିମନ୍ତେ ସେ ୪ଟି ଫିଲ୍ମ ଫେୟାର ପୁରସ୍କାର ଓ ଏକ ରାଷ୍ଟ୍ରୀୟ ଫିଲ୍ମ ଫେୟାର ପୁରସ୍କାର ପ୍ରାପ୍ତ କରିଥିଲେ।ରାମୋଜୀ ରାଓଙ୍କ ଜନ୍ମ ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲ୍ଲାର ପେଦାପରୁପୁଡି ଗାଁରେ ଏକ ଚାଷୀ ପରିବାରରେ ହୋଇଥିଲା। ମାତ୍ର କଠିନ ଅଧ୍ୟବସାୟ ବଳରେ ସେ ଶିକ୍ଷା, ଖାଦ୍ୟ ତଥା ହୋଟେଲ ବ୍ୟବସାୟରେ ବି ପ୍ରତିଷ୍ଠିତ ହୋଇ ପାରିଥିଲେ।
https://youtu.be/7QkG3WDPSSE