ରଙ୍ଗର ପର୍ବ ହୋଲି | ହୋଲିକୁ ଲୋକେ ଆନନ୍ଦ ଉଲ୍ଲାସର ସହ ବହୁ ଧୁମଧାମରେ ପାଳନ କରନ୍ତି | କିନ୍ତୁ ଆମ ଦେଶରେ ଏପରି କିଛି ସ୍ଥାନ ଅଛି ଯେଉଁଠାରେ ହୋଲି ପର୍ବ ସେମାନଙ୍କ ପାଇଁ ବେରଙ୍ଗ | ସେଠାରେ ଆଦୌ ପାଳନ କରାଯାଏ ନାହିଁ ହୋଲି | ତେବେ ବର୍ଷେ କି ଦୁଇ ବର୍ଷ ନୁହେଁ ପ୍ରାୟ ୧୫୦ ବର୍ଷ ଧରି ଏଠାକାର ଲୋକେ ଖେଳନ୍ତିନି ହୋଲି | ତେବେ ସେମାନେ ହୋଲି ନଖେଳିବା କାରଣ ମଧ୍ୟ ବହୁତ ଅଦ୍ଭୁତ |
ଛତିଶଗଡର କୋରବା ଜିଲ୍ଲାରେ ଏପରି ୨ ଟି ଗାଁ ଅଛି ଯେଉଁଠାରେ ବହୁ ବର୍ଷ ଧରି ରଙ୍ଗ କି ଅବିର ଖେଳ ହୋଇନାହିଁ | ହୋଲି ଖେଳିଲେ ଗାଁ ଠାକୁରାଣୀ କୋପ କରିବେ ବୋଲି କୁହନ୍ତି ଗ୍ରାମବାସୀ | ଏହି ଗ୍ରାମରେ ହୋଲି ଦିନ ପିଠାପଣା ଏବଂ ସୁସ୍ୱାଦୁ ଖାଦ୍ୟ ତ ପ୍ରସ୍ତୁତ କରାଯାଏ, ହେଲେ ଗାଁରେ ହୁଏନି ହୋଲିକା ଦହନ କି ଖେଳାଯାଏନି ରଙ୍ଗ |
କୋରବା ଜିଲ୍ଲାଠାରୁ ୩୫ କିଲୋମିଟର ଦୂରରେ ମା ମଡଭାରାନୀଙ୍କ ମନ୍ଦିର ନିକଟରେ ଥିବା ପାହାଡ ତଳେ ରହିଛି ଏହି ଗାଁ ଖରହରୀ | ଗତ ୧୫୦ ବର୍ଷ ଧରି ଏହି ଗାଁରେ ହୋଲି ପର୍ବ ପାଳନ କରାଯାଇ ନାହିଁ | ଗାଁର ପୁରୁଖା ଲୋକେ କୁହନ୍ତି ସେମାନେ ଜନ୍ମ ହେବାର ବହୁ ପୂର୍ବରୁ ଏଠାରେ ହୋଲି ପାଳନ ନକରିବାର ପ୍ରଥା ରହିଛି। ଏହି ଗାଁରେ ପ୍ରାୟ ୬୫୦ ରୁ ୭୦୦ ଲୋକ ବାସ କରନ୍ତି | ସେହିଭଳି କୋରବା ଠାରୁ ୨୦କିଲୋମିଟର ଦୂର ଧାମନଗୁଡି ଗାଁ | ଏଠାରେ ମଧ୍ୟ ଲୋକେ ପାଳନ କରନ୍ତିନି ହୋଲି ଉତ୍ସବ | ହୋଲି ଖେଳିଲେ ଗାଁର ଦେବାଦେବୀ ରାଗିଯିବେ ବୋଲି ଲୋକଙ୍କର ରହିଛି ବିଶ୍ୱାସ |
ଗାଁର ପୁରୁଖା ଲୋକଙ୍କ କହିବା ଅନୁଯାୟୀ, ବହୁ ବର୍ଷ ପୂର୍ବେ ଗାଁରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ଗାଁର ସବୁ ଲୋକଙ୍କ ଘରଦ୍ୱାର ଛାରଖାର ହୋଇଯାଇଥିଲା | ପରେ ଗାଁରେ ମହାମାରୀ ବ୍ୟାପି ଥିଲା। ଫଳରେ ବହୁ ଲୋକଙ୍କ ଧନ ଜୀବନ ହାନି ହୋଇଥିଲା | ଗାଁରେ କଳା ବାଦଲ ଘୋଟି ଯାଇଥିଲା | ଏହି ସମୟରେ ଗାଁର ଜଣେ ଲୋକଙ୍କ ସ୍ୱପ୍ନରେ ଦେବୀ ମା ମଡଭାରାନୀ ଆସି ଏହି ଦୁଃଖଦ ପରିସ୍ଥିତିକୁ ଏଡାଇବା ପାଇଁ ଉପାୟ କହିଥିଲେ । ସେ ସ୍ୱପ୍ନରେ କହିଥିଲେ ଯେ, ଯଦି ଗାଁରେ ହୋଲି ପର୍ବ କେବେ ପାଳନ କରାଯାଏ ନାହିଁ, ତେବେ ଏଠାରେ ଶାନ୍ତି ଫେରିପାରିବ | ସେବେଠାରୁ ଏହି ଗାଁରେ ହୋଲିର ପର୍ବ କେବେବି ପାଳନ କରାଯାଇ ନାହିଁ |