ସମ୍ବଲପୁର ,(ଏନଏନଏସ ଓଡ଼ିଆ/ ୩୧.୦୩): ଭୋଜି ଖାଇ ବିଳମ୍ବିତ ରାତିରେ ଫେରିବା ବେଳେ କେନାଲକୁ ବର ଯାତ୍ରୀ ଗାଡ଼ି ଖସି ପଡ଼ିବାରୁ ଅକାଳରେ ଚାଲିଗଲା ୭ ଜୀବନ । ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ଜିଲ୍ଲା ଶାସନ କେନାଲ ନିକଟରେ ଘଟିଛି। ସମସ୍ତ ମୃତାହତ ଝାରସୁଗୁଡ଼ା ଲଖନପୁର ବ୍ଲକ ବଡ଼ଧରା ଗାଁର ବୋଲି ସୂଚନା ମିଳିଛି।
ବଡ଼ଧରା ଗାଁର ଜଣେ ଯୁବକଙ୍କର ପରମାଣୁପୁରର ଜଣେ ଯୁବତୀଙ୍କ ସହ ବିବାହ ସ୍ଥିର ହୋଇଥିଲା। ଗତକାଲି ରାତିରେ ଏକ କାର୍ ଯୋଗେ ୧୧ ଜଣ ବର ଯାତ୍ରୀ ପରମାଣୁପୁରକୁ ଯାଇଥିଲେ। ସେମାନେ ଭୋଜି ଖାଇ ରାତି ପ୍ରାୟ ୧ଟା ପରେ ଘରକୁ ଫେରୁଥିଲେ। ମାତ୍ର ଶାସନ ରାସ୍ତାରେ ଗାଡ଼ିଟି ଭାରସାମ୍ୟ ହରାଇ କେନାଲ ଭିତରକୁ ଖସି ପଡ଼ିଥିଲା।
ଉଦ୍ଧାର କାର୍ଯ୍ୟରେ ଡେରି ହେବାରୁ ୭ ଜଣଙ୍କ ମୃତ୍ୟୁ ହେଲା ବୋଲି ସଂପର୍କୀୟମାନେ ଅଭିଯୋଗ କରିଛନ୍ତି। ଏଥିସହ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ କି ଅକ୍ସିଜେନ ମିଳିପାରିନଥିଲା ବୋଲି ବି ସେମାନେ କହିଛନ୍ତି। ତୁରନ୍ତ ଚିକିତ୍ସା ସୁବିଧା ମିଳିପାରିଥିଲେ ହୁଏତ କିଛି ଜଣ ବଞ୍ଚି ଯାଇପାରିଥାନ୍ତେ ବୋଲି ସେମାନେ ଅଭିଯୋଗ କରିଛନ୍ତି ।
ଖବର ପାଇ ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ମଧ୍ୟରେ ୨ ଭାଇ ଥିବା ଜଣାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ପରମାଣୁପୁର ଗାଁରେ ଶୋକର ଛାୟା ଖେଳି ଯାଇଛି।