ବାତ୍ୟା ପ୍ରଭାବରେ ଲଗାତାର ବର୍ଷା ଯୋଗୁ କେନ୍ଦ୍ରାପଡା ଜିଲ୍ଲାରେ ଧାନ ଓ ପରିବା ଫସଲ ସମ୍ପୂର୍ଣ ଉଜୁଡି ଯାଇଛି । କେନ୍ଦ୍ରାପଡା ବ୍ଲକ କୋରୋ ଗ୍ରାମରେ ହଜାର ହଜାର ଏକର ଧାନ ଜମିରୁ ପାଣି ସୁଖୁନଥିବାରୁ ଧାନକ୍ଷେତ ଉଜୁଡି ଗଲାଣି । ଜମିରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଥିବାରୁ ପାଚିଲାଧାନ ବୁଡିରହି ଗଜା ହୋଇଗଲାଣି । ତଥାପି କେନ୍ଦ୍ରାପଡା ତହସିଲ ପ୍ରଶାସନର ଚିନ୍ତା ନାହିଁ । ଏହି ଗ୍ରାମରେ ଚାଷମାନଙ୍କର ସମସ୍ୟା ଅନୁଧ୍ୟାନ କରିବାକୁ ତହସିଲଦାର କୌଣସି ପଦକ୍ଷେପ ନେଉନାହାନ୍ତି । ଏପରିକି ଆରଆଇମାନେ କ୍ଷତିଗ୍ରସ୍ତ ଜମିକୁ ଯାଇ ଅନୁଧ୍ୟାନ କରି ରିପୋର୍ଟ ପଠାଇନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ କେନ୍ଦ୍ରାପଡା ବ୍ଲକ କୋରୋ ଗ୍ରାମର ଧାନଚାଷୀମାନେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ନିକଟରେ ସରକାରୀ ଉଦାସୀନତା ସମ୍ପର୍କରେ ଅଭିଯୋଗ କରିଛନ୍ତି । ହଜାରହଜାର ଟଙ୍କା ଧାରକରଜକରି ଧାନଚାଷ କରିଥିବା ଚାଷୀ ସର୍ବଶାନ୍ତ ହେବାକୁ ଯାଉଥିବାବେଳେ ସରକାର କିଛି ବୁଝୁନଥିବା ଏହି କ୍ଷତିଗ୍ରସ୍ତ ଚାଷୀମାନେ ଅଭିଯୋଗ କରିଛନ୍ତି । ନିଜନିଜ ମୋବାଇଲରେ ରେକର୍ଡ କରିଆଣିଥିବା ସେହି ଗାଁର ଧାନବିଲର ଚିତ୍ର ଜିଲ୍ଲା ପ୍ରଶାସନକୁ ଦେଖାଇଛନ୍ତି ଗ୍ରାମବାସୀ । ଜିଲ୍ଲା ପ୍ରଶାସନ ଏହି କ୍ଷତିଗ୍ରସ୍ତ ଚାଷୀମାନଙ୍କର ସମସ୍ୟାକୁ ସମାଧାନ ନ କରିଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ପ୍ରଶାସନକୁ ଚେତାଇ ଦେଇଛନ୍ତି ଚାଷୀମାନେ ।