ଆଗାମୀ ସାଧାରଣତନ୍ତ୍ର ଦିବସରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ଗୁଇନ୍ଦା ବିଭାଗକୁ ସୂଚନା ମିଳିଛି । ଏହି ସୂଚନା ମିଳିବା ପରେ ଦିଲ୍ଲୀରେ କଡାକଡି ହୋଇଯାଇଛି ସୁରକ୍ଷା ବ୍ୟବସ୍ଥା । ଆତଙ୍କବାଦୀ ଆକ୍ରମଣ ଆଶଙ୍କାକୁ ଦେଖି ଆଇବି, ପୋଲିସ ଏବଂ ଏଜେନ୍ସିଗୁଡ଼ିକୁ ସତର୍କ ସୂଚନା ଜାରୀ କରିଛି। ଏ ନେଇ ଇଣ୍ଟେଲିଜେନ୍ସ ବ୍ୟୁରୋ ଏକ ୯ ପୃଷ୍ଠାର ସତର୍କ ଜାରି କରିଛି। ଆଇଏସଆଇ ନିର୍ଦ୍ଦେଶରେ ବଡ ନେତାଙ୍କ ଉପରେ ଆକ୍ରମଣର ଆଶଙ୍କା ଥିବାର ସତର୍କ ସୂଚନା ଜାରୀ କରିଛି ଗୁଇନ୍ଦା ବିଭାଗ । ଏହା ସହ ସଂସଦ ଭବନର ସୁରକ୍ଷା କଡାକଡି କରାଯାଇଛି।
ଅପରପକ୍ଷରେ ଆତଙ୍କବାଦୀମାନେ ଜନଗହଳି ପୂର୍ଣ୍ଣ ସ୍ଥାନରେ ଆକ୍ରମଣ କରିପାରନ୍ତି ବୋଲି ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ଏକ ସତର୍କ ସୂଚନା ଜାରି କରିଛି। କେବଳ ଏତିକି ନୁହେଁ, ଦିଲ୍ଲୀରେ ଗଣତନ୍ତ୍ର ଦିବସ ପରେଡ ପ୍ରତି ବିପଦ ଆଶଙ୍କା କରି ଆଇବି ସମୁଦାୟ ୩୨ ପଏଣ୍ଟରୁ ପର୍ଯ୍ୟାପ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ କହିଛି। ପଡୋଶୀ ରାଜ୍ୟ ଉତ୍ତରପ୍ରଦେଶ ଏବଂ ହରିୟାଣା ସହିତ ବୈଠକ କରିବାକୁ ମଧ୍ୟ କୁହାଯାଇଛି। ଜାନୁଆରୀ ୧୪ ରେ ଦିଲ୍ଲୀରୁ ଆରଡିଏକ୍ସ ମିଳିବା ପରେ ଦିଲ୍ଲୀ ପୋଲିସ୍ ର ନିଦ ହଜିଯାଇଛି। ଏଭଳି ପରିସ୍ଥିତିରେ ଦିଲ୍ଲୀ ପୋଲିସ ବିଶେଷ କରି ସଂସଦ ଗୃହ ଏବଂ ଲାଲକିଲ୍ଲା ଚାରିପାଖରେ ସୁରକ୍ଷା କଡାକଡି କରିଛି।
୨୬ ଜାନୁଆରୀ ଗଣତନ୍ତ୍ର ଦିବସ ଅବସର ପରେଡରେ ଆତଙ୍କବାଦୀ ଆକ୍ରମଣ ହେବାର ସମ୍ଭାବନା ଅଛି। ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଇବା, ଜୈଶ, ହରକତ -ଉଲ-ମୁଜାହିଦ୍ଦିନ, ହିଜବୁଲ-ଉଲ-ମୁଜାହିଦ୍ଦିନ ଏବଂ ପାକିସ୍ଥାନ-ଆଫଗାନିସ୍ତାନରେ କାର୍ଯ୍ୟ କରୁଥିବା ଆତଙ୍କବାଦୀ ସଂଗଠନ ଭିଭିଆଇପିଙ୍କୁ ଟାର୍ଗେଟ କରିପାରନ୍ତି ବୋଲି ସତର୍କ ସୂଚନା ଜାରୀ କରାଯାଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ।