ଆମେ ଦେବା ଦେବୀଙ୍କୁ ଏବଂ ଧାର୍ମିକ ପୀଠଗୁଡିକୁ କେତେ ବିଶ୍ୱାସ କରୁଛେ, ସେକଥା ତର୍କର ବାହାରେ। କିନ୍ତୁ ଗ୍ରାମ ଦେବାଦେବୀଙ୍କ ପୂଜା ସ୍ଥଳୀରେ କାହିଁକେଉଁ ଅନାଦି କାଳରୁ ପୂଜା ପାଇଆସୁଥିବା ମାଟି ଘୋଡା ଉପରେ ଆମର ଅଗାଧ ବିଶ୍ୱାସ ଓ ସୀମାହୀନ ଭକ୍ତି ଏବଂ ଆସ୍ଥା ରହିଆସିଛି । ତେବେ ଗତକାଲି ସନ୍ଧ୍ୟାରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି । ଗ୍ରାମ ଦେବୀଙ୍କ ନିକଟରେ ଥିବା ମାଟି ଘୋଡା ପାଟିରୁ ବାହାରୁଛି ଧୂଆଁ । କଥାଟି ଅବିଶ୍ୱାସ ଲାଗୁଥିଲେ ବି ସମ୍ପୂର୍ଣ ସତ। ଏଭଳି ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ସମସରପୁର ପଞ୍ଚାୟତ ଅନ୍ତର୍ଗତ ସାତୋରୀ ଗ୍ରାମରେ । ସାତୋରୀ ଗ୍ରାମର ଗ୍ରାମଦେବତୀ ଭାବେ ମାଆ ହିଂଦୁଳାଇ ବେଶ ପ୍ରସିଦ୍ଧ । ମାଆଙ୍କ ପୀଠରେ ଥିବା ମାଟିଘୋଡା ମୁହଁରୁ ଧୂଆଁ ନିର୍ଗତ ହେବା ଭଳି ଅଲୌକିକ ଦୃଶ୍ୟ ସ୍ଥାନୀୟ ଅଂଚଳରେ ବେଶ ଚର୍ଚ୍ଚାର ବିଷୟ ହୋଇଛି। ଆଜି ସନ୍ଧ୍ୟାରେ ମାଆ ହିଂଦୁଳାଇଙ୍କ ନିକଟରେ ଥିବା ମାଟି ଘୋଡା ପାଟିରୁ ଧୂଆଁ ବାହାରିବା ଖବର ପ୍ରଚାରିତ ହେବା ପରେ ଏହାକୁ ଦେଖିବାପାଇଁ ହଜାର ହଜାର ଶ୍ରଦ୍ଧାଳୁ ମାଆଙ୍କ ପୀଠରେ ଭିଡ଼ ଜମାଇଥିବା ଦେଖିବାକୁ ମିଳିଥିଲା । ତେବେ ଏହି ଘଟଣା ସହିତ ଲୋକଙ୍କ ଭାବାବେଗ ଜଡିତ ଥିବାରୁ ଏବଂ ଆଧ୍ୟାତ୍ମିକ ଚେତନା ଭିତରେ ଗ୍ରାମଦେବଦେବୀମାନଙ୍କ ପ୍ରତି ଅଖଣ୍ଡ ବିଶ୍ୱାସକୁ ଏଡ଼ାଇ ଯିବା ଚିନ୍ତାର ବାହାରେ ବୋଲି କୁହାଯାଉଛି !