ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଦେଖାଦେଇଛି ଛାତ୍ର ଅଶାନ୍ତି | ରାମ ନବମୀରେ ଆମିଷ ଖିଆକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ | ଜେଏନୟୁର କାବେରୀ ହଷ୍ଟେଲରେ ମୁହାଁମୁହିଁ ହୋଇଛନ୍ତି ଏବିଭିପି ଏବଂ ବାମ ସମର୍ଥିତ ଛାତ୍ର ଗୋଷ୍ଠୀ । ଫଳରେ ସୃଷ୍ଟି ହୋଇଥିଲା ରକ୍ତାକ୍ତ ସଂଘର୍ଷ | ଏହି ସଂଘର୍ଷରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି । ରାମ ନବମୀରେ ଏବିଭିପି ଛାତ୍ରମାନେ ବାମପନ୍ଥୀ ସମର୍ଥିତ ଛାତ୍ରଙ୍କୁ ନନଭେଜ ଖାଦ୍ୟ ଖାଇବାକୁ ବାରଣ କରିଥିବା ଅଭିଯୋଗ ହୋଇଛି | ସେହିପରି ବାମପନ୍ଥୀ ସମର୍ଥିତ ଛାତ୍ରମାନେ ହଷ୍ଟେଲରେ ପୂଜା ବନ୍ଦ କରିବାକୁ ଚେଷ୍ଟା କରିଥିବା ଏବିଭିପି ଛାତ୍ରମାନେ ଅଭିଯୋଗ କରିଛନ୍ତି |
ସୂଚନାନୁସାରେ, ଗତକାଲି ରବିବାର କାବେରୀ ହଷ୍ଟେଲ ମେସ୍ରେ ନନ୍ଭେଜ ଖାଦ୍ୟ ପରସା ଯାଇଥିଲା। ରାମନବମୀରେ ଆମିଷ ପରସାଯିବାକୁ ନେଇ ଏବିଭିପି ସଦସ୍ୟ ଆପତ୍ତି ଉଠାଇଥିଲେ। ଏହାକୁ ନେଇ ଏବିଭିପି ଓ ବାମ ସଙ୍ଗଠନ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ବାମ ସଙ୍ଗଠନ ଛାତ୍ରଙ୍କ କହିବାନୁଯାୟୀ, କାବେରୀ ହଷ୍ଟେଲରେ କିଛି ଛାତ୍ର ଗତକାଲି ନନଭେଜ ଖାଇଥିଲେ। ଉକ୍ତ ସମୟରେ ଏବିଭିପି କର୍ମକର୍ତ୍ତା ସେଠାରେ ପହଞ୍ଚି ଗଣ୍ଡଗୋଳ ଆରମ୍ଭ କରିଦେଲେ।
ଅନ୍ୟପକ୍ଷରେ ଏବିଭିପି ଛାତ୍ରମାନେ ଅଭିଯୋଗ କରିଛନ୍ତି ଯେ, ରାମ ନବମୀରେ ଜେଏନୟୁର କାବେରୀ ହଷ୍ଟେଲରେ ଛାତ୍ରମାନେ ପୂଜା କରୁଥିଲେ। ତେବେ ହଷ୍ଟେଲର କିଛି ବାମପନ୍ଥୀ ଚିନ୍ତାଧାରା ଛାତ୍ର ସଂଗଠନ ପୂଜାପାଠକୁ ବିରୋଧ କରିଥିଲେ | ଏହା ପରେ ବାମ ଛାତ୍ର ସଂଗଠନଗୁଡ଼ିକ ସନ୍ଧ୍ୟାରେ ସମସ୍ତ ସଂଗଠନର ଏକ ବୈଠକ ଡାକିଥିଲେ। ପରେ ଏବିଭିପି ଏବଂ ବାମ ସଂଗଠନ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଯାଇଥିଲା | ଦୁଇ ଗୋଷ୍ଠୀ ପରସ୍ପର ମଧ୍ୟରେ ପଥର ଫିଙ୍ଗିବା ସହ ମାରପିଟ ହେବାରୁ ୩ ଛାତ୍ରୀଙ୍କ ସମେତ ୨୦ ଜଣ ଛାତ୍ର ଆହତ ହୋଇଥିବା ଜଣାପଡିଛି |