ଖ୍ୟାତନାମା ଲେଖିକା ତସଲିମା ନାସିରିନ୍ ପୁଣି ନିଜ ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଛନ୍ତି । ସରୋଗେସି ମାଧ୍ୟମରେ ମାଆ ହୋଇଥିବା ସେଲିବ୍ରିଟିଙ୍କୁ ସମାଲୋଚନା କରି ସେ ବିବାଦୀୟ ହୋଇପଡିଛନ୍ତି | ତସଲିମା ଟ୍ୱିଟରରେ ନିଜର ମତ ପ୍ରକାଶ କରି ପଚାରିଛନ୍ତି ଯେ, ଯେଉଁ ମା’ମାନେ ସରୋଗେସି ମାଧ୍ୟମରେ ମାତୃତ୍ଵ ଲାଭ କରୁଛନ୍ତି ସେମାନଙ୍କର ଜନ୍ମ କରୁଥିବା ମାଙ୍କ ପରି ଭାବନା ଆସିଥାଏ କି ? ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ସ୍ୱାମୀ ନିକ ଜୋନାସ ସରୋଗେସି ମାଧ୍ୟମରେ ପିତାମାତା ହେବା ପରେ ତସଲିମା ନାସିରିନଙ୍କ ଏଭଳି ମତ ଆସିଛି। ଯଦିଓ ତସଲିମା ନିଜ ଟ୍ୱିଟରେ ପ୍ରିୟଙ୍କା ଚୋପ୍ରାଙ୍କ ବିଷୟରେ କିଛି ବି ଉଲ୍ଲେଖ କରିନାହାଁନ୍ତି। ତଥାପି ‘ସରୋଗାସି’ ମାଧ୍ୟମରେ ମାତୃତ୍ୱ ଲାଭ କରି କନ୍ୟାସନ୍ତାନର ସୁଖ ପାଇଥିବା ପ୍ରିୟଙ୍କା ଚୋପ୍ରାଙ୍କ ଉପରେ ଏଭଳି ଟ୍ୱିଟ ହୋଇଥିବା ଆଲୋଚନା ହେଉଛି | ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କରିଛନ୍ତି ୟୁଜର୍ସ ।
ତସଲିମା ଲେଖିଛନ୍ତି ଯେ, ଆଜିକାଲି ସମାଜରେ ସରୋଗାସି ମାତୃତ୍ୱ ସଂଖ୍ୟା ବଢିବାରେ ଲାଗିଛି । ହେଲେ ଏପରି ମାତୃତ୍ୱ ପାଉଥିବା ମହିଳାମାନଙ୍କର ଅନୁଭୂତି କିପରି । ସେମାନେ କ’ଣ ସେହିପରି ଅନୁଭବ କରନ୍ତି, ଯେପରି ବାସ୍ତବରେ ଗର୍ଭ ଧାରଣ କରିଥିବା ଜଣେ ମହିଳା ଅନୁଭବ କରିଥାନ୍ତି? ଏହାସହ ସରୋଗାସି ପାଇଁ ରାଜି ହୋଇଯାଉଥିବା ଅଭାବୀ ମହିଳାଙ୍କ ସାହଯ୍ୟ ନେଇ ଗରିବୀକୁ ଅଟ୍ଟହାସ୍ୟ କରାଯାଉଛି ବୋଲି ମଧ୍ୟ ତସଲିମା ଟ୍ୱିଟ କରିଛନ୍ତି ।