ଜୋର ଧରିଲା ପିସିସି ପରିବର୍ତ୍ତନ ପ୍ରସଙ୍ଗ । ପିସିସି ପରିବର୍ତ୍ତନ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଦେଇଛନ୍ତି ବଡ ବୟାନ । ସେ କହିଛନ୍ତି ପିସିସି ସଭାପତି ପରିବର୍ତ୍ତନ ସୁନିଶ୍ଚିତ। ତେଣୁ ବିଧାୟକଙ୍କ ଭିତରୁ ଜଣଙ୍କୁ କାହାକୁ ସଭାପତି କରିବାକୁ ଆମେ ଦାବି କରୁଛୁ। ଯଦି ବିଧାୟକଙ୍କ ଭିତରୁ କାହାକୁ ପିସିସି ସଭାପତି କରାନଯାଏ ତେବେ ଅସନ୍ତୋଷ ପ୍ରକାଶ କରିବୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି।
ତାରା କହିଛନ୍ତି, କଂଗ୍ରେସର ୯ ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ କଂଗ୍ରେସର ମଙ୍ଗ ଧରାଯାଉ। ତାଙ୍କ ନେତୃତ୍ୱରେ ୨୦୨୪ ନିର୍ବାଚନ ବୈତରଣୀ ପାର ହେବ ଦଳ। ଜଣେ ବିଧାୟକ ପିସିସି ହେଲେ ତାଙ୍କ ସହ ୯ ବିଧାୟକ ବୁଲିବେ । ଯଦି ମୋତେକାର୍ଯ୍ୟକାରୀ ସଭାପତି ପଦ ଦିଆଯାଏ, ମୁଁ ତାକୁ ଗ୍ରହଣ କରିବି ନାହିଁ । ବିଧାୟକଙ୍କ ସହ ଆଲୋଚନା କରି କଣ କରାଯିବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ତାରା ପ୍ରସାଦ ବାହିନୀପତି ।
ସେହିଭଳି ଜଣେ ବିଧାୟକ ପିସିସି ସଭାପତି ହେଲେ ଭଲ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ। ମାତ୍ର ଯଦି ବିଧାୟକଙ୍କ ସ୍ଥାନରେ ହାଇକମାଣ୍ଡ ଆଉ କାହାକୁ ସଭାପତି କରିବାକୁ ନିଷ୍ପତ୍ତି ନିଅନ୍ତି, ତାଙ୍କୁ ବି ସମର୍ଥନ କରିବୁ ବୋଲି କହିଛନ୍ତି ଅଧିରାଜ।
ଅନ୍ୟପକ୍ଷେ ପିସିସି ପରିବର୍ତ୍ତନ କୁ ନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଦେଇଛନ୍ତି ବଡ଼ ବୟାନ । କେବଳ ପିସିସି ନୁହେଁ କଂଗ୍ରେସ ବିଧାୟକ ଦଳ ନେତା ବି ବଦଳିବାର ଆବଶ୍ୟକତା ରହିଛି । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଦଳର ହାଇ କମାଣ୍ଡ ଯାହା ନିଷ୍ପତ୍ତି ନେବେ ଆମେ ତାକୁ ଗ୍ରହଣ କରିବୁ । ସେ ଯିଏ ହୁଅନ୍ତୁ ନା କାହିଁକି ପୂର୍ବତନ ସଭାପତି ହୁଅନ୍ତୁ କି ବିଧାୟକ ହୁଅନ୍ତୁ ।