ଭୁବନେଶ୍ୱର : ଲୋକପ୍ରିୟ ଓଡ଼ିଆ କଣ୍ଠ ଶିଳ୍ପୀ ତପୁ ମିଶ୍ରଙ୍କର ପରଲୋକ ଘଟିଛି। କରୋନାରୁ ଭଲ ହୋଇଥିଲେ ବି ଏହା ପରବର୍ତ୍ତୀ ଜଟିଳତାର ଶିକାର ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିବା ବେଳେ ଶନିବାର ରାତି ୧୧ଟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଜଣେ ଆଗଧାଡିର ଗାୟିକା ଭାବେ ସେ ଓଡ଼ିଆ ଫିଲ୍ମ ଜଗତରେ ସୁନାମ ଅର୍ଜନ କରିଥିଲେ। ଦୀର୍ଘ ୨୦ ବର୍ଷ ଧରି ସେ ଓଡ଼ିଆ ଫିଲ୍ମ ଜଗତରେ ଜଣେ ଲୋକପ୍ରିୟ ଗାୟିକା ଭାବେ ପରିଚିତ ଥିଲେ। ତପୁ ମିଶ୍ରଙ୍କ ବିୟୋଗରେ ଓଡ଼ିଆ ଫିଲ୍ମ ଓ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। ନିକଟରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ତପୁଙ୍କ ଚିକିତ୍ସା ପାଇଁ ଏକ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରା ଯାଇଥିଲା। କିନ୍ତୁ ସମସ୍ତ ପ୍ରକାର ପ୍ରୟାସ ସତ୍ୱେ ତପୁ ଜୀବନ ଯୁଦ୍ଧରେ ହାରିଗଲେ। ‘କୁଳନନ୍ଦନ’ ଫିଲ୍ମରୁ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ପ୍ରାୟ ୧୫୦ଟି ଫିଲ୍ମରେ ତପୁ ଗୀତ ଗାଇଥିଲେ। ‘ଏ ଯୁଗର କୃଷ୍ଣ ସୁଦାମା’, ‘ମାତୃଶକ୍ତି’, ‘ଯେ ପାଞ୍ଚେ ପରର ମନ୍ଦ’, ‘ଆଇ ଲଭ୍ ୟୁ’ ଓ ‘ଚକୋଲେଟ’ ଭଳି ବହୁ ଫିଲ୍ମରେ ସେ ହିଟ୍ ଗୀତ ଗାଇଛନ୍ତି। ‘ଆଇ ଲଭ୍ ୟୁ ଫିଲ୍ମ’ରେ ସେ ପାଇଥିଲେ ଢେରସାରା ପ୍ରଶଂସା। ‘ନା.. ବଜାନା ବଂଶୀ’ ଗୀତ ତାଙ୍କୁ ଆଣିଦେଇଥିଲା ପ୍ଲେ-ବ୍ୟାକ୍ ସିଙ୍ଗରର ପ୍ରସିଦ୍ଧି। ସେ ଚାରି ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।