ବହୁଚର୍ଚ୍ଚିତ ସୁମିତ-ତପସ୍ୱିନୀ ବିବାଦର କୌଣସି ସମାଧାନ ବାହାରି ପାରୁନାହିଁ । କୋର୍ଟରେ ମାମଲା ଚାଲିଥିବା ବେଳେ ଶାଶୂଘର ବାରଣ୍ଡାରେ ଧରଣାରେ ବସି ରହିଛନ୍ତି ତପସ୍ୱିନୀ ଓରଫ ଡିମ୍ପଲ । ସୁମିତ-ତପସ୍ୱିନୀ ବିବାଦ ମାମଲାରେ ପୁଣି ଆସିଛି ଏକ ନୂଆ ମୋଡ । ନ୍ୟାୟ ପାଇଁ ତପସ୍ବିନୀ ଦାସ ଗତ ମାସ ୨୦ତାରିଖରେ ରାଜ୍ୟପାଳଙ୍କ ନିକଟକୁ ପତ୍ର ଲେଖିଥିଲେ । ଏହି ଘଟଣାରେ ରାଜଭବନରୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ଚିଠି ଜାରି କରାଯାଇଛି । ଘଟଣାର ତଦନ୍ତ କରି ଆବେଦନକାରୀ ଏବଂ ରାଜଭବନକୁ ଜଣାଇବା ପାଇଁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । ବ୍ରହ୍ମପୁରର ଦମ୍ପତ୍ତି ତପସ୍ବିନୀ- ଡାକ୍ତର ସୁମିତଙ୍କ ପାରିବାରିକ ବିବାଦକୁ ନେଇ ଚାଲିଥିବା ଡ୍ରାମା ଏବେ ବି ଜାରି ରହିଛି । ଏହାରି ଭିତରେ ତପସ୍ୱିନୀଙ୍କ ଓକିଲ ବ୍ରହ୍ମପୁର ଏସଡିଜେଏମଙ୍କ ରାୟକୁ ଚ୍ୟାଲେଞ୍ଜ କରି ଜିଲ୍ଲା ଜଜ କୋର୍ଟରେ ଏକ ପିଟିସନ କରିଛନ୍ତି । ଡାକ୍ତର ସୁମିତ ସାହୁଙ୍କ ସହ ତାଙ୍କର ବିବାହ ବିଚ୍ଛେଦ ହୋଇନଥିବାରୁ ତାଙ୍କୁ ଶାଶୂଘରେ ରହିବାକୁ ଅନୁମତି ପ୍ରଦାନ କରିବାକୁ ଆବେଦନ କରାଯାଇଛି । ଆଗାମୀ ୨୭ ତାରିଖରେ ଏହି ଆବେଦନର ଶୁଣାଣି ହେବ ବୋଲି ସୂଚନା ଦେଇଛନ୍ତି ତପସ୍ୱିନୀଙ୍କ ଓକିଲ । ସେହିଭଳି ଶ୍ବଶୂରଘର ବାରଣ୍ଡାରେ ତପସ୍ବିନୀଙ୍କ ଧାରଣା ଏବେ ବି ଜାରି ରହିଛି । ଧାରଣା ଦେବା ପୂର୍ବରୁ ତପସ୍ୱିନୀ ଦାଶ ରାଜ୍ୟପାଳଙ୍କ ସମେତ ମୁଖ୍ୟମନ୍ତ୍ରୀ , ଗଞ୍ଜାମ ଜିଲ୍ଲାପାଳଙ୍କୁ ଚିଠି ଲେଖି ନ୍ୟାୟ ଭିକ୍ଷା କରିଥିଲେ । ବ୍ରହ୍ମାନଗରରେ ୧୪୪ ଧାରା ଜାରି ରହିଛି ।