ତାଞ୍ଜାନିଆ ଭାଇ ଭଉଣୀଙ୍କୁ ନେଇ ସବୁଠି ଚର୍ଚ୍ଚା | ଏହି ଭାଇ ଭଉଣୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କରିଛନ୍ତି ପ୍ରଶଂସା | ୮୬ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଭାଇ ଭଉଣୀଙ୍କୁ ପୋତି ପକାଇଛନ୍ତି ପ୍ରଶଂସାରେ | ଭାରତଠୁ ଅନେକ ଦୂରରେ ଥାଇ ମଧ୍ୟ ଏମାନେ ଜିତି ପାରିଛନ୍ତି ମୋଦିଙ୍କ ମନ । ଭାରତୀୟ ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଆଲୋଚନା କରିବା ବେଳେ ମୋଦି ଏହି ଭାଇ ଭଉଣୀ କିଲି ପଲ ଓ ନିମାଙ୍କ ସମ୍ପର୍କରେ ଆଲୋଚନା କରିଛନ୍ତି । ତେବେ ଦେଶବାସୀଙ୍କ ମନରେ ପ୍ରଶ୍ନ ଉଠିଛି କିଏ ଏହି ଭାଇ ଭଉଣୀ ? ଯାହାଙ୍କ ସମ୍ପର୍କରେ ପ୍ରଧାନନ୍ତ୍ରୀ ଆଲୋଚନା କରିଛନ୍ତି । ତେବେ ଆସନ୍ତୁ ଜାଣିବା ଭାରତରେ ଏମାନେ କିପରି ଲୋକପ୍ରିୟତା ହାସଲ କରିଛନ୍ତି ଏବଂ କାହିଁକି ?
ତାଞ୍ଜାନିଆ ହେଉଛି ପୂର୍ବ ଆଫ୍ରିକୀୟ ଦେଶ । ଭାରତ ମହାସାଗର ସୀମାରେ ଏହା ଅବସ୍ଥିତ । ଏହି ଦେଶର ଭାଇ ଭଉଣୀଙ୍କୁ ନେଇ ଏବେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଫେସବୁକ, ଟ୍ବିଟର ଓ ଇନଷ୍ଟାଗ୍ରାମରେ ସବୁଠି ଚର୍ଚ୍ଚା । ଏ ନେଇ ମୋଦି ମନ୍ କି ବାତ୍ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ଏମାନଙ୍କ ସମ୍ପର୍କରେ ସେ ଶୁଣିଛନ୍ତି ଏବଂ ଦେଶବାସୀ ମଧ୍ୟ ନିଶ୍ଚିତ ଭାବରେ ଶୁଣିଥିବେ । ଏହି ଭାଇ ଭଉଣୀଙ୍କ ମଧ୍ୟରେ ଭାରତୀୟ ସଙ୍ଗୀତକୁ ନେଇ ଏକ ଅତୁଟ ଭଲ ପାଇବା ରହିଛି ବୋଲି କହିଛନ୍ତି ମୋଦି । କିଲି ଓ ନିମା ହିନ୍ଦୀ ଭାଷା ସମ୍ପର୍କରେ ସମ୍ପୂର୍ଣ୍ଣ ଭାବରେ ଅଜ୍ଞ । ତଥାପି ହିନ୍ଦୀ ଗୀତର ପରଫେକ୍ଟ ଲିପ୍ସିଂ କରି ସେ ହାତେଇଛନ୍ତି ଲୋକପ୍ରିୟତା । ଏଭଳି ଅନେକ ଲିପ୍ସିଂ ଭିଡ଼ିଓ ସହ ଡ୍ୟାନ୍ସ କରି ସେ ଏବେ ନେଟିଜେନ୍ସଙ୍କ ହୃଦୟରେ ରାଜ୍ କରୁଛନ୍ତି । କିଲିଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲ ତାଙ୍କୁ ଏକ ଡ୍ୟାନ୍ସର ଓ କଣ୍ଟେଣ୍ଟ କ୍ରିଏଟର ଭାବେ ପରିଚୟ ଦେଇଛି । ତାଙ୍କର ଇନଷ୍ଟାଗ୍ରାମରେ ୨.୬ ମିଲିୟନ ବା ୨୦ ଲକ୍ଷରୁ ଅଧିକ ଫଲୋର୍ସ ରହିଛନ୍ତି । ସେପଟେ ତାଙ୍କ ଭଉଣୀ ନିମାଙ୍କ ୨୫୯ ହଜାର ଫଲୋର୍ସ ରହିଛନ୍ତି । ଏହି ଭାଇ ଭଉଣୀ ହିନ୍ଦୀ ଗୀତରେ ଲିପ୍ସିଂ ସହ ଡ୍ୟାନ୍ସ କରିବାର ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ । ନିକଟରେ ସେମାନେ ଲୋକପ୍ରିୟ ହିନ୍ଦୀ ଫିଲ୍ମ ‘ଶେରଶାହ’ର ରାତାଂ ଲମ୍ବିଆ ଗୀତରେ ଡାନ୍ସ କରିଥିଲେ । ସେମାନଙ୍କ ଲିପ୍ସିଂ ଓ ଡ୍ୟାନ୍ସର ଅନ୍ଦାଜ ନେଟିଜେନ୍ସଙ୍କୁ ଖୁବ ପସନ୍ଦ ଆସିଥିଲା । ଏହାପରେ ଏହି ଭିଡ଼ିଓଟି ଇଣ୍ଟରନେଟରେ ଖୁବ ଭାଇରାଲ ହୋଇଥିଲା । ପରେ ପରେ ଭାଇ ଭଉଣୀଙ୍କ ଯୋଡ଼ି ଇଣ୍ଟରନେଟ ସେନ୍ସେସନ ବନିଥିବା ଦେଖିବାକୁ ମିଳିଥିଲା। ଆଫ୍ରିକୀୟ ଦେଶର ଏହି ତାଞ୍ଜାନିଆ ଡ୍ୟାନ୍ସିଂ ଷ୍ଟାରଙ୍କୁ ଭାରତ ପକ୍ଷରୁ ସମ୍ମାନିତ କରାଯାଇଛି । ତାଞ୍ଜାନିଆରେ ଥିବା ହାଇ କମିଶନ ଅଫ ଇଣ୍ଡିଆ ପକ୍ଷରୁ ଏହି ପୁରସ୍କାର ଦିଆଯାଇଥିଲା । ଏଠାରେ ଥିବା ଭାରତୀୟ କୂଟନୈତିଜ୍ଞ ବିନୟା ପ୍ରଧାନ ନିଜ ଟ୍ବିଟର ଆକାଉଣ୍ଟରେ ଏକ ଫଟୋ ସେୟାର କରି ଏ ସମ୍ପର୍କରେ ସୂଚନା ମଧ୍ୟ ଦେଇଥିଲେ ।