ଏନଏନଏସ୍: ତହସିଲଦାରଙ୍କୁ ଆକ୍ରମଣ ଘଟଣାରେ ୭ ଗିରଫ । ପରଜଙ୍ଗ ତହସିଲ ଅନ୍ତର୍ଗତ ପଥରଖମ୍ବ ଗାଁ ନିକଟରେ ସରକାରୀ ଜାଗାରୁ ମାଟି ଖୋଳି ନେଇ ଯାଉଥିଲେ ମାଫିଆ । ଏନେଇ ବିରୋଧ କରିବାରୁ ଢେଙ୍କାନାଳ ପରଜଙ୍ଗ ତହସିଲଦାର ଶୁଭ୍ର ପଟେଲଙ୍କ ଉପରେ ଆକ୍ରମଣ କରିଥିଲେ ମାଟି ମାଫିଆ । ଏପରିକି ତହସିଲଦାରଙ୍କ ଉପରେ ଜେସିବି ଓ ଟ୍ରାକ୍ଟର ଚଢେଇ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି ।
ସୂଚନାଯୋଗ୍ୟ ସରକାରୀ ଜାଗାରୁ ମାଟି ଖୋଳି ନେଉଥିବା ବେଳେ ଖବର ପାଇ ତହସିଲଦାର ଚଢାଉ କରିଥିଲେ । ଏହାପରେ ମାଟି ମାଫିଆ ହାତରେ ଠେଙ୍ଗା ଧରି ତାଙ୍କୁ ଆକ୍ରମଣ କରିଥିଲେ । ସେଠାରେ ଉପସ୍ଥିତ ଥିବା ପରଜଙ୍ଗ ଆରଆଇ ଆଲୋକ କୁମାର ଲେଙ୍କା ଓ ତହସିଲ କର୍ମଚାରୀ ପ୍ରେମାନନ୍ଦ ବେହେରାଙ୍କୁ ବି ଆକ୍ରମଣ କରିଥିଲେ । ଆକ୍ରମଣ ପରେ ସମସ୍ତ କର୍ମଚାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ପରଜଙ୍ଗ ବିଧାୟକ ନୃସିଂହ ସାହୁ ଡାକ୍ତରଖାନାରେ ପହଞ୍ଚି ତହସିଲଦାରଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଏହି ଘଟଣାରେ ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ କରି ୭ ଜଣକୁ ଗିରଫ କରିଛି ।