ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା କାରଣରୁ ପଞ୍ଚାୟତ ନିର୍ଵାଚନ ପାଇଁ କିଛି ଗାଇଡଲାଇନ ଜାରି କରାଯାଇଛି | ଦଳୀୟ କାର୍ଯ୍ୟକ୍ରମ ବା ସଭା ଓ ସମାବେଶ ଉପରେ କଟକଣା ଲଗାଯାଇଛି | ତେବେ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ବ୍ଲକରେ ଏକ ଦଳୀୟ କାର୍ଯ୍ୟକ୍ରମରେ ତହସିଲଦାର ଯୋଗ ଦେଇ ହଟହଟା ହୋଇଥିବା ଦେଖିବାକୁ ମିଳିଛି | ହଜାର ହଜାର ସଂଖ୍ୟାରେ ନେତା ଓ କର୍ମୀ ଏକାଠି ହୋଇଥିବା ଦଳୀୟ କାର୍ଯ୍ୟକ୍ରମରେ ତହସିଲଦାର ଯୋଗଦେଇଥିବା ବେଳେ ସାମ୍ବାଦିକମାନଙ୍କୁ ଦେଖି ଛାନିଆରେ ଖସି ପଳେଇବାକୁ ଚେଷ୍ଟା କଲାବେଳେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସାମ୍ନାରେ ପଡିଯାଇଥିଲେ | କିଛି ସମୟ ସାମ୍ବାଦିକଙ୍କ ପ୍ରଶ୍ନବାଣରେ ଅସ୍ତବ୍ୟସ୍ତ ହୋଇଯାଇଥିଲେ ତହସିଲଦାର ସନ୍ତୋଷ ସାହୁ । କେନ୍ଦ୍ରାପଡା ଜିଲ୍ଲା ପାଟକୁରା କଂଗ୍ରେସ ପକ୍ଷରୁ ଏକ ମିଶ୍ରଣ ପର୍ବ ଗରଦପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା | ଏହି କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ କର୍ମୀମାନେ ଏକଜୁଟ ହୋଇଥିଲେ | ବିଜେଡିର କିଛି ନେତୃବୃନ୍ଦଙ୍କୁ କଂଗ୍ରେସର ଏହି ସଭାରେ ସାମିଲ କରାଯାଇଥିଲା । ଏଥିସହିତ ସଭାରେ ଗରଦପୁର ବ୍ଲକର ତହସିଲଦାର ସନ୍ତୋଷ କୁମାର ସାହୁ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟନ୍ତ ଉପସ୍ଥିତ ଥିଲେ | କିନ୍ତୁ ସେଠାରେ ସାମ୍ବାଦିକମଙ୍କୁ ଦେଖି ତହସିଲଦାର ଚତୁରତାର ସହ ଖସି ଯିବାକୁ ବସିଥିବା ବେଳେ ପଡିଗଲେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସାମ୍ନାରେ । ନିର୍ବାଚନ ଆଚରଣ ବିଧି ଲାଗୁ କରାଯାଇଥିବା ବେଳେ ଏହି ରାଜନୀତିକ ସଭାରେ ସେ କଣ କରୁଛନ୍ତି ବୋଲି ପଚାରିବାରୁ କାର୍ଯ୍ୟକ୍ରମରେ ଜନବହୁଳ ଥିବାରୁ କାର୍ଯ୍ୟକ୍ରମ ବନ୍ଦ କରିବାକୁ ଆସିଥିଲେ ବୋଲି ସଫେଇ ଦେଇଛନ୍ତି ତହସିଲଦାର ବାବୁ । ତେବେ କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ଆସି ବନ୍ଦ ନକରି ଶେଷ ପର୍ଯ୍ୟନ୍ତ କଣ ପାଇଁ ବସିରହିଥିଲେ ପଚାରିବାରୁ ଗରଦପୁର ତହସିଲଦାର ମୁହଁ ଆଡେଇ ଚାଲି ଯାଇଥିଲେ | ମହାମାରୀ ସମୟରେ ଏଭଳି ସଭା ସମିତି କରିବାକୁ କିପରି ଅନୁମତି ପାଇଲେ ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚି ସୃଷ୍ଟି କରିଛି । ଏଭଳି କାର୍ଯ୍ୟକ୍ରମ କରୁଥିବା ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋ କୋଭିଡର ନିୟମକୁ ଠିଆ ଗୋଇଠା ଦେଇ କିପରି କରିଲେ ବଡ଼ଧରଣର ସଭା ତାହା ସାଧାରଣରେ ଚର୍ଚା ହେଉଛି । ନିଜେ ତହସିଲଦାର ଉପସ୍ଥିତ ରହି ଚୁପ୍ ବସିବା ଘଟଣା ଆଗକୁ କେଉଁ ରୂପ ନେଉଛି ଏବଂ ଜିଲ୍ଲା ପ୍ରଶାସନ ଏହା ଉପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା |