ପୌରସଂସ୍ଥା ସ୍ବାୟତ୍ତ ଶାସନ ଦିବସ ପ୍ରତିବର୍ଷ କିଛି ନା କିଛି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରାଯାଇଥାଏ । ତେଣୁ ରାଜ୍ୟର ୧୧୪ଟି ସହରାଞ୍ଚଳର ବାସିନ୍ଦା ପ୍ରତିବର୍ଷ ଅଗଷ୍ଟ ୩୧ ତାରିଖରେ ପାଳନ କରାଯାଉଥିବା ସ୍ବାୟତ୍ତଶାସନ ଦିବସକୁ ବେଶ ଆଗ୍ରହ ର ସହିତ ଅପେକ୍ଷା କରିଥାନ୍ତି । ରାଜ୍ୟ ସରକାର ତଥା ବିଏମ୍ସି ଓ ସିଏମ୍ସି ଭଳି ପୌର ସଂସ୍ଥାରେ ଏହି ଦୁଇ ତିନି ଦିନ ଉଦ୍ଘାଟନ ଓ ଶିଳାନ୍ୟାସ ଏବଂ ବିଭିନ୍ନ ପ୍ରକଳ୍ପର ଉଦଘାଟନ ତଥା ଲୋକାର୍ପଣ କରାଯାଇଥାଏ । କିନ୍ତୁ ଚଳିତବର୍ଷ ସାରା ରାଜ୍ୟରେ ଫିକା ପଡିଯାଇଛି ସ୍ବାୟତ୍ତ ଶାସନ ଦିବସ । ନଗର ଉନ୍ନୟନ ବିଭାଗ ପକ୍ଷରୁ କେବଳ ମାତ୍ର ପତାକା ଉତ୍ତୋଳନ କରି ଆଜିର କାର୍ଯ୍ୟକ୍ରମକୁ ସମାପ୍ତ କରାଯିବାର ନିଷ୍ପତ୍ତି ନିଆଯାଇଛି ।
ପୂର୍ବରୁ ପ୍ରତିବର୍ଷ ସ୍ବାୟତ୍ତଶାସନ ଦିବସର ମାସେ/ଦୁଇ ମାସ ପୂର୍ବରୁ ଲୋକଙ୍କ ଦାବି ମୁତାବକ ତାଲିକା ବି ପ୍ରସ୍ତୁତ କରାଯାଇଥାଏ । ଯାହାକୁ ଅନୁଯାୟୀ ପୌରସଂସ୍ଥା ଅନେକ ଅଞ୍ଚଳରେ ଛୋଟ ବଡ଼ ପ୍ରକଳ୍ପ ଯଥା କେଉଁଠି ଡ୍ରେନ୍ କେଉଁଠି ରାସ୍ତା କେଉଁଠି ପାର୍କ, ଆଲୋକୀକରଣ ଭଳି ଅନେକ ପ୍ରକଳ୍ପର ଶିଳାନ୍ୟାସ କିମ୍ବା ଉଦ୍ଘାଟନ କରିଥାନ୍ତି । କର୍ପୋରେଟର ଓ କାଉନସିଲର୍ମାନେ ମଧ୍ୟ ସେମାନଙ୍କ ଅଞ୍ଚଳରେ କିଛି ନା କିଛି ପ୍ରକଳ୍ପର ଶୁଭାରମ୍ଭ କରିଥାନ୍ତି ।
କିନ୍ତୁ ପ୍ରାୟ ତିନି ବର୍ଷ ହେଲାଣି ପୌର ନିର୍ବାଚନ ନହେବା କାରଣରୁ ସହରାଞ୍ଚଳବାସୀଙ୍କ ଦାବି ଶୁଣିବାକୁ କେହି ନାହାନ୍ତି। ତଥାପି ଯଦି କେହି ନିଜ ସମସ୍ୟା ନେଇ ପୌରସଂସ୍ଥାର ଅଧିକାରୀଙ୍କ ପାଖକୁ ଯାଉଛନ୍ତି ତେବେ ସେ କରୋନା ଆଳ ଦେଖାଇ ଭେଟିବା ପାଇଁ ମନା କରି ଦିଅନ୍ତି ।
ପୌରସଂସ୍ଥାର ଭଳି ଏଥର ନଗର ଉନ୍ନୟନ ବିଭାଗ ମଧ୍ୟ ସମାନ ଆଳରେ ବସି ରହିଛନ୍ତି । ଗତବର୍ଷଠାରୁ ଏଥର ସ୍ଥିତି ଭିନ୍ନ ରହିଛି । ସମସ୍ତ ଉଦ୍ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମକୁ ରାଜ୍ୟ ସରକାର ଅନୁମତି ମଧ୍ୟ ଦେଇଛନ୍ତି। କିନ୍ତୁ ନଗର ଉନ୍ନୟନ ବିଭାଗ କରୋନାରେ ଅଟକିଯାଇଛନ୍ତି । ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି.ମାଥିଭାଥନନ୍ ଙ୍କ କହିବା ଅନୁଯାୟୀ ଏଥର କୌଣସି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ହେବ ନାହିଁ । କେବଳ ପୌରସଂସ୍ଥାଗୁଡ଼ିକ ନିଜ ନିଜ ସ୍ତରରେ ଯାହା କରିବେ।
ତେବେ ପ୍ରଶ୍ନ ଉଠିଛି ଯେ ନଗର ଉନ୍ନୟନ ବିଭାଗ ପାଖରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ପାଇଁ ଅନେକ ସୁଯୋଗ ରହିଛି । ତଥାପି ବି କାହିଁକି ସେସବୁ ସେସବୁ କାର୍ଯ୍ୟକାରୀ କରାଯାଉନି ?
ସ୍ବଚ୍ଛ ସର୍ବେକ୍ଷଣ ପ୍ରତିଯୋଗିତାରେ ଓଡ଼ିଶାର ସବୁ ସହରର ତାଲିକାର ବହୁ ପଛରେ ରହୁଥିଲେ ମଧ୍ୟ ଆସନ୍ତା ସ୍ବଚ୍ଛ ସର୍ବେକ୍ଷଣ ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯାଇପାରିଥାନ୍ତା। ମିସନ୍ ଶକ୍ତି ସ୍ବୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ପୌର ସଂସ୍ଥାର ଅଧିକାଂଶ କାର୍ଯ୍ୟ କରିବାକୁ ନିକଟରେ ନିର୍ଦ୍ଦେଶନାମା ଜାରି ହୋଇଥିବା ବେଳେ ଏନେଇ ମଧ୍ୟ କିଛି ପ୍ରକଳ୍ପର ଶୁଭାରମ୍ଭ, ହୋଇପାରିଥାନ୍ତା। କିନ୍ନରଙ୍କୁ ସ୍ବାବଲମ୍ବୀ କରିବା ପାଇଁ ପୌରସଂସ୍ଥାର ବିଭିନ୍ନ ପ୍ରକଳ୍ପରେ ନିୟୋଜିତ କରିବାକୁ ନିଷ୍ପତ୍ତି ହୋଇଥିବାରୁ ଏନେଇ ବି କୌଣସି ପ୍ରକଳ୍ପର ଲୋକାର୍ପଣ ହୋଇପାରିଥାନ୍ତା, ସବୁ ସହରରେ ଜଳବନ୍ଦୀ ସମସ୍ୟା ଥିବାରୁ ସବୁ ସହରରେ ଡ୍ରେନ୍ ନିର୍ମାଣ ପାଇଁ କିଛି ପ୍ୟାକେଜ୍ ଘୋଷଣା କରାଯାଇପାରିଥାନ୍ତା। ଆଉ ଏବେ ସହରାଞ୍ଚଳରେ ଖୋଲା ସ୍ଥାନରେ ପାର୍କ, ଖେଳପଡ଼ିଆ କରିବାକୁ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କରିଥିବାରୁ ନଗରଉନ୍ନୟନ ବିଭାଗ ଏହାକୁ ନେଇ ମଧ୍ୟ ପ୍ରକଳ୍ପ ଆରମ୍ଭ କରିପାରିଥାନ୍ତେ। କିନ୍ତୁ କୌଣସି ଯୋଜନା ନ କରା ନ ଯାଇ ସମ୍ପୂର୍ଣ୍ଣ ସ୍ବାୟତ୍ତଶାସନ ଦିବସକୁ ଫିକା କରିଦିଆ ଗଲା ।
ଅନ୍ୟପଟେ ଦୁଇ ବର୍ଷ ତଳେ ୨୦୩୫ଟି ୱାର୍ଡରେ ୱାର୍ଡ ଅଫିସ୍ ନିର୍ମାଣ କରିବାକୁ ନଗର ଉନ୍ନୟନ ବିଭାଗ ଘୋଷଣା କରିବା ପରେ କିଛି ୱାର୍ଡେର ୱାର୍ଡ ଅଫିସ୍ ନିର୍ମାଣ ମଧ୍ୟ ହୋଇଥିଲା କିନ୍ତୁ ଅଧାରୁ ଅଧିକ ୱାର୍ଡ ଅଫିସ୍ ନିର୍ମାଣ ହୋଇ ପାରିଲାନି। ଏହା ଛଡା ୩୪୨ଟି କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ କରିବାକୁ ଶିଳାନ୍ୟାସ ହୋଇଥିଲେ ମଧ୍ୟ ଏଯାଏ ୨୦୦ରୁ ଅଧିକ ପ୍ଲାଣ୍ଟ ନିର୍ମାଣ ହୋଇ ପାରିନି । ଯେଉଁଥି ପାଇଁ ବୋଧ ହୁଏ ନଗର ଉନ୍ନୟନ ବିଭାଗ ଏବେ ନୂଆ ପ୍ରକଳ୍ପ ହାତକୁ ନେବାପାଇଁ ପ୍ରସ୍ତୁତ ନଥିବା ଭଳି ମନେ ହେଉଛି ।
#LSGDay2021 #nnsodia