<h3>କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଶେଷ ସୀମାନ୍ତ କଦମ୍ବଗୁଡା ଗ୍ରାମପଂଚାୟତ ତଥା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ କମର୍ଦ୍ଧା ସେକ୍ସନ ଭୁର୍ଟିଗଡ଼ ବିଟ ସେମେଲପଦର ଗାଁ ନିକଟସ୍ଥ କୁଟିମସ୍କା ଜଙ୍ଗଲରେ ଏକ ମୃତ ଦନ୍ତାହାତୀର ଶବକୁ ଠାବ କରିଛି ବନବିଭାଗ।</h3> <h3>ତେବେ ହାତୀଟିର ମୃତ୍ୟୁ ସପ୍ତାହେ ପୂର୍ବରୁ ହୋଇଥିବା ଅନୁମାନ କରାଯାଉଥିବାବେଳେ ସ୍ଥାନୀୟ ଲୋକଙ୍କୁ ହାତୀ ମୃତ୍ୟୁ ସମ୍ପର୍କରେ ଏଯାଏଁ ଅନ୍ଧାରରେ ରଖିଛି ବନବିଭାଗ। ଏପରିକି ହାତୀ-ହାତୀ ମଧ୍ୟରେ ଲଢେଇ ହୋଇ ହାତୀଟିର ମୃତ୍ୟୁ ଘଟିଥିବା ବନବିଭାଗ ସନ୍ଦେହ କରୁଥିବାବେଳେ ଶିକାରୀଙ୍କ ଗୁଳି କିମ୍ବା ବିଦ୍ୟୁତ ଆଘାତରେ ହାତୀଟିର ମୃତ୍ୟୁ ହୋଇଥାଇପାରେ ଵୋଲି କୁହାଯାଉଛି। ତେବେ ବିଶ୍ୱନାଥପୁର ଓ ନର୍ଲା ରେଞ୍ଜର ବିଭିନ୍ନ ଅଞ୍ଚଳରେ ଦୀର୍ଘ ବର୍ଷ ହେଲା ଜଙ୍ଗଲୀ ହାତୀପଲଙ୍କ ଚଳପ୍ରଚଳ ଲାଗି ରହିଥିବାବେଳେ ବିଭିନ୍ନ ସମୟରେ ହାତୀ ଓ ମଣିଷ ମୁହାଁମୁହିଁ ହୋଇ ଆସୁଛନ୍ତି। ସେଥିମଧ୍ୟରୁ ପାଞ୍ଚରୁ ଅଧିକ ହାତୀଙ୍କ ମୃତ୍ୟୁ ଘଟିଥିବାବେଳେ ଅକାଳରେ ତିନିରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ତେବେ ଆଜି ହାତୀ ମୃତ୍ୟୁ ସମ୍ପର୍କରେ ଖବର ପାଇ ଉତ୍ତର ବନଖଣ୍ଡର ଏସିଏଫ, ବିଶ୍ୱନାଥପୁର ଓ ନର୍ଲା ରେଞ୍ଜରଙ୍କ ସମେତ ବନବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ତେବେ ବନବିଭାଗ ଏନେଇ ଲୋକଙ୍କୁ ସଠିକ ତଥ୍ୟ ଦେବା ତ ଦୂରର କଥା ଓଲଟା ହାତୀ ଶବ ଦେଖିବାକୁ ବି ସୁଯୋଗ ଦେଇନାହିଁ। ସେହିପରି ପ୍ରାଣୀ ବିଶେଷଜ୍ଞ ଆସି ବ୍ୟବଚ୍ଛେଦ କରିବା ପରେ ଗାତ ଖୋଳି ହାତୀଟିକୁ ପୋତି ଦେଇଥିବା ଜଣାପଡିଛି। ଏନେଇ ବନବିଭାଗର ତଦନ୍ତ ଜାରି ଥିବା ଜଣାପଡିଛି।</h3>