ହିଜାବ ବିବାଦ ମାମଲାରେ କର୍ଣ୍ଣାଟକ ହାଇକୋର୍ଟର ମଧ୍ୟବର୍ତ୍ତୀକାଳୀନ ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। କିନ୍ତୁ ଏହି ଆବେଦନ ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ହାଇକୋର୍ଟରେ ଶୁଣାଣି ଚାଲିଛି ଏବଂ ଏହା ଉପରେ ଆମେ ନଜର ରଖିଛୁ ।
ହିଜାବ ବିବାଦକୁ ଜାତୀୟ ସ୍ତରର ପ୍ରସଙ୍ଗ କରନ୍ତୁ ନାହିଁ। ଏହାର ଜରୁରୀ ଶୁଣାଣିର କୌଣସି ଆବଶ୍ୟକତା ନାହିଁ। ଠିକ୍ ସମୟରେ ହସ୍ତକ୍ଷେପ ସହ ଏହାର ଶୁଣାଣି କରାଯିବ। ହିଜାବ ବିବାଦକୁ ନେଇ କର୍ଣ୍ଣାଟକ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଉପରେ ଏଭଳି ମନ୍ତବ୍ୟ ଦେଇଛନ୍ତି ସୁପ୍ରିମକୋର୍ଟ।
ଓକିଲ ଦେବଦତ୍ତ କାମତଙ୍କ ଯୁକ୍ତି ଉପରେ ପ୍ରଧାନ ବିଚାରପତି ଏନ.ଭି ରମଣ କହିଛନ୍ତି ଯେ, ହାଇକୋର୍ଟଙ୍କୁ ବର୍ତ୍ତମାନ ଶୁଣାଣି କରିବାକୁ ଅନୁମତି ଦିଆଯାଉ। ଏସଜି ତୁଷାର ମେହେତା କହିଛନ୍ତି ଯେ, ଯେତେବେଳେ ଆଦେଶ ଆସିନାହିଁ, ଏହାକୁ କିପରି ଚ୍ୟାଲେଞ୍ଜ କରାଯିବ। ଏହାକୁ ରାଜନୈତିକ ଏବଂ ଧାର୍ମିକ କରାଯିବା ଉଚିତ ନୁହେଁ।
କର୍ଣ୍ଣାଟକ ହାଇକୋର୍ଟ ନିକଟରେ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇଛନ୍ତି ଯେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକୁ ପୁନଃ ଖୋଲାଯିବା ଉଚିତ | ହିଜାବ ବିବାଦର ସମାଧାନ ନ ହେବା ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନରେଧର୍ମୀୟ ଭାବନା ସହ ଜଡ଼ିତ କୌଣସି ପୋଷାକ ପରିଧାନ ନ କରିବାକୁ କର୍ଣ୍ଣାଟକ ହାଇକୋର୍ଟ ଗତକାଲି ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟରେ ହାଇକୋର୍ଟଙ୍କ ଏହି ଆଦେଶକୁ ଚ୍ୟାଲେଞ୍ଜ କରାଯାଇଥିଲା। ଆସନ୍ତା ସୋମବାର ଏହାର ଶୁଣାଣି ହେବ ବୋଲି କହିଛନ୍ତି। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଶିକ୍ଷାନୁଷ୍ଠାନଗୁଡ଼ିକ ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସ ଆରମ୍ଭ କରିପାରିବେ।