ନିର୍ବାଚନ ଜିତିବା ପାଇଁ ବିଭିର୍ନ ରାଜନୈତିକ ଦଳ ପକ୍ଷରୁ ଜନତାଙ୍କୁ ମାଗଣା ସାମଗ୍ରୀ ଦେବା ନେଇ ପ୍ରତିଶୃତି ଦେଉଛନ୍ତି | ସରକାରୀ ପାଣ୍ଠିରୁ ମାଗଣା ଉପହାର ବଣ୍ଟନ କରିବାର ପ୍ରତିଶୃତି ଦିଆଯାଇ ମୁକ୍ତ, ନିରପେକ୍ଷ ନିର୍ବାଚନକୁ ପ୍ରଭାବିତ କରାଯାଉଥିବା ଏକ ମାମଲାର ଶୁଣାଣି କରି ମଙ୍ଗଳବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ କେନ୍ଦ୍ର ନିର୍ବାଚନ ଆୟୋଗଙ୍କୁ ନୋଟିସ୍ ଜାରି କରିଛନ୍ତି | ରାଜନୈତିକ ଦଳ ପକ୍ଷରୁ ମାଗଣା ସାମଗ୍ରୀ ବଣ୍ଟନ ନେଇ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମ କୋର୍ଟ | ପ୍ରଧାନ ବିଚାରପତି ଏନଭି ରମଣା, ଜଷ୍ଟିସ୍ ଏଏସ୍ ବୋପନ୍ନା ଓ ଜଷ୍ଟିସ୍ ହିମା କୋହଲିଙ୍କ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିଛନ୍ତି |
ପ୍ରଧାନ ବିଚାରପତି ଏନଭି ରମଣା କହିଛନ୍ତି , ଏହା ଏକ ଗମ୍ଭୀର ବିଷୟ, ଏଥିରେ କୌଣସି ସନ୍ଦେହ ନାହିଁ | ସୀମିତ ପରିସର ମଧ୍ୟରେ ଆମେ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାକୁ ନିର୍ବାଚନ ଆୟୋଗଙ୍କୁ କହିଛୁ। ତେବେ ନିର୍ବାଚନ ଆୟୋଗ ଦଳଗୁଡିକ ସହିତ କେବଳ ଗୋଟିଏ ବୈଠକ କରି ତାଙ୍କ କାମ ସାରିଦେଇଛନ୍ତି |
ଏହି ପ୍ରସଙ୍ଗରେ ଆବେଦନକାରୀ ଅଶ୍ୱିନୀ କୁମାର ଉପାଧ୍ୟାୟଙ୍କ ତରଫରୁ କୁହାଯାଇଛି ଯେ ସରକାରୀ ପାଣ୍ଠିରୁ ମାଗଣା ଉପହାର ବଣ୍ଟନ କରିବାର ପ୍ରତିଶୃତି ଦିଆଯାଇ ମୁକ୍ତ, ନିରପେକ୍ଷ ନିର୍ବାଚନକୁ ପ୍ରଭାବିତ କରାଯାଉଛି | ଯାହାକି ନିର୍ବାଚନ ପ୍ରକ୍ରିୟାକୁ କଳୁଷିତ କରୁଛି | ତେଣୁ ପ୍ରତିଶୃତି ଦେଉଥିବା ଦଳର ଚିହ୍ନକୁ ରଦ୍ଦ କରିବା ସହ ଦଳକୁ ଅଣପଞ୍ଜିକୃତ କରିବା ଲାଗି ନିର୍ଦ୍ଦେଶ ଦେବାକୁ ଆବେଦନରେ ଦାବି କରାଯାଇଛି ।
ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ଆବେଦନକାରୀ ଅଶ୍ୱିନୀ ଉପାଧ୍ୟାୟଙ୍କୁ ପଚାରିଛନ୍ତି ଯେ ଯଦି ସମସ୍ତ ରାଜନୈତିକ ଦଳ ପ୍ରତିଶୃତି ଦେଉଛନ୍ତି, ତେବେ ଆପଣ କେବଳ ଦୁଇଟି ଦଳ ବିଷୟରେ କାହିଁକି ଉଲ୍ଲେଖ କରିଛନ୍ତି? ଆବେଦନକାରୀଙ୍କ ତରଫରୁ ତାଙ୍କ ଓକିଲ ବିକାଶ ସିଂ କହିଛନ୍ତି ଯେ ସେ ଅନ୍ୟ ଦଳମାନଙ୍କୁ ମଧ୍ୟ ଏଥିରେ ସାମିଲ କରିବାକୁ ଚେଷ୍ଟା କରିବେ।