ପୈତୃକ ସମ୍ପତ୍ତି ଉପରେ ପୁଅଙ୍କ ପରି ଝିଅମାନଙ୍କର ମଧ୍ୟ ରହିଛି ସମାନ ଅଧିକାର। ପିତାଙ୍କ ମୃତ୍ୟୁ ପୂର୍ବରୁ କୌଣସି ଉଇଲ ବା ଇଚ୍ଛାପତ୍ର ପ୍ରସ୍ତୁତ କରାନଯାଇଥିଲେ ମଧ୍ୟ ଝିଅମାନେ ପୈତୃକ ସମ୍ପତ୍ତି ପାଇବାକୁ ହକଦାର ହେବେ | ସୁପ୍ରିମକୋର୍ଟ ଦେଇଥିବା ନିଜ ପୂର୍ବ ରାୟକୁ ଆଜି ପୁଣି ଥରେ ଦୋହରାଇଛନ୍ତି। ପୈତୃକ ସମ୍ପତ୍ତି ବିଭାଜନ ପରେ ଝିଅଙ୍କୁ ବି ମିଳିବ ସମାନ ଅଧିକାର। ବାପାଙ୍କ ମୃତ୍ୟୁ ୧୯୫୬ ପୂର୍ବରୁ ହୋଇଥିଲେ ମଧ୍ୟ ଲାଗୁ ହେବ ନିୟମ । ହିନ୍ଦୁ ପର୍ସନାଲ ଲ’ ଓ ହିନ୍ଦୁ ଉତ୍ତରାଧିକାରୀ ଅଧିନିୟମରେ ଏହା ଲାଗୁ ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ହିନ୍ଦୁ ପର୍ସନାଲ ଲ’ ଓ ହିନ୍ଦୁ ଉତ୍ତରାଧିକାରୀ ଅଧିନିୟମରେ ଏହା ଲାଗୁ ହେବ। ସୁପ୍ରିମକୋର୍ଟ ବିଚାରପତି ଏସ ଅବଦୁଲ ନାଜିର ଏବଂ ଜଷ୍ଟିସ୍ କ୍ରିଷ୍ଣା ମୁରାରୀଙ୍କ ବେଞ୍ଚ ଏହି ନିଷ୍ପତ୍ତି ନେଇଛନ୍ତି |
କୋର୍ଟ କହିଛନ୍ତି ଯେ, ପୈତୃକ ସମ୍ପତ୍ତିରେ ଝିଅଙ୍କୁ ସେମାନଙ୍କ ଭାଗର ସମ୍ପତ୍ତି ମିଳିବ । ଝିଅ ପାଖରେ ଜନ୍ମରୁ ହିଁ ବାପାଙ୍କ ସମ୍ପତ୍ତି ଉପରେ ସମାନ ଅଧିକାର ରହିଛି ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି କି ଝିଅଙ୍କୁ ପୈତୃକ ସମ୍ପତ୍ତିି ଦେବାରେ କେହି ବି ବଞ୍ଚିତ କରିପାରିବେ ନାହିଁ ।
ମାଡ୍ରାସ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ପ୍ରତ୍ୟାହାର କରି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି। 1949 ମସିହାରେ ଦେହାନ୍ତ ହୋଇଥିବା ମାରପ୍ପା ଗୋଣ୍ଡାରଙ୍କ ସମ୍ପତ୍ତିକୁ ତାଙ୍କ ଝିଅ କୁପାଇ ଅମଲଙ୍କୁ ହସ୍ତାନ୍ତର କରିବାକୁ ବ୍ୟବସ୍ଥା କରାଯାଇଛି। ଜଷ୍ଟିସ୍ କୃଷ୍ଣା ମୁରାରୀ ଏହି ବିଚାର ଶୁଣାଣି ବେଳେ କହିଥିଲେ ଯେ, ‘ଆମର ପ୍ରାଚୀନ ଗ୍ରନ୍ଥଗୁଡ଼ିକରେ ମଧ୍ୟ ମହିଳାମାନେ ସମାନ ଉତ୍ତରାଧିକାରୀ ଭାବରେ ବିବେଚିତ ହୋଇଛନ୍ତି।
ସୂଚନା ଥାଉକି, 1956 ମସିହାରେ ଭାରତରେ ‘ହିନ୍ଦୁ ଉତ୍ତରାଧିକାର ଆଇନ’ ଲାଗୁ ହେଲା। ଏଥିରେ, ପୈତୃକ ସମ୍ପତି ଉପରେ ପୁଅ ଏବଂ ଝିଅର ସମାନ ଅଧିକାର ରହିଛି ବୋଲି ଉଲେଖ କରାଯାଇଛି | 2005 ରେ ଏହାକୁ ପୁଣି ସଂଶୋଧନ କରାଯାଇ ଏକ ମିଳିତ ପରିବାରରେ ରହୁଥିବା ପିତାଙ୍କ ସମ୍ପତ୍ତିରେ ପୁଅ ଏବଂ ଝିଅଙ୍କ ପାଇଁ ସମାନ ଅଧିକାର ସୁନିଶ୍ଚିତ କରାଯାଇଥିଲା | ତା’ପରେ ଅଗଷ୍ଟ 2020 ରେ ସୁପ୍ରିମକୋର୍ଟ ଝିଅମାନଙ୍କର ଅଧିକାରକୁ ଆହୁରି ବଢ଼ାଇ ଦେଇଥିଲେ।