ପାରିବାରିକ ବିବାଦର ବିଚାର କରି ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ
‘ମା’କୁ ରଖିବା ପାଇଁ ବଡ଼ଘର ନୁହେଁ, ବଡ଼ ହୃଦୟ ଦରକାର’
ଜଣେ ମାଆର ଯତ୍ନ ନେବା ଏବଂ ଦେଖାଶୁଣା କରିବା ପାଇଁ ଏକ ବଡ଼ ଘର ନୁହେଁ, ବରଂ ଏକ ବଡ଼ ହୃଦୟ ଦରକାର। ଜଣେ ବୃଦ୍ଧ ମହିଳାଙ୍କ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏଭଳି ଏକ ହୃଦୟସ୍ପର୍ଶୀ ଟିପ୍ପଣୀ ଦେଇଛନ୍ତି। ବୃଦ୍ଧ ମହିଳାଙ୍କ ଝିଅମାନେ ତାଙ୍କ ଭାଇମାନେ ମା’ର ଯତ୍ନ ନେଉନାହାଁନ୍ତି ବୋଲି କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଏକ ପାରିବାରିକ ବିବାଦ ମାମଲାର ଶୁଣାଣି କରିବା ସମୟରେ କୋର୍ଟ ଏହି ଟିପ୍ପଣୀ ରଖିଛନ୍ତି।
ବିହାରର ୮୯ ବର୍ଷୀୟା ବୈଦେହୀ ସିଂହ ନାମକ ଜଣେ ବୃଦ୍ଧା ଡିମେନ୍ସିଆରେ ପୀଡ଼ିତ। ଅସୁସ୍ଥତା ସତ୍ୱେ ତାଙ୍କ ବଡ଼ ପୁଅ କ୍ରୀଷ୍ଣା କୁମାର ସିଂହ ତାଙ୍କର ଚିକିତ୍ସା କରୁନାହାନ୍ତି। ତାଙ୍କର ଦୁଇ ଝିଅଙ୍କ ପାଖକୁ ମଧ୍ୟ ମାଆଙ୍କୁ ଛାଡୁ ନାହାଁନ୍ତି । ବରଂ ତାଙ୍କର ସମସ୍ତ ସମ୍ପତ୍ତିକୁ ସେ ନିଜ ନାଁରେ କରିବାରେ ବ୍ୟସ୍ତ। ତେଣୁ ବୈଦେହୀଙ୍କର ୨ ଝିଅ ପୁଷ୍ପା ତିୱାରୀ ଏବଂ ଗାୟତ୍ରୀ କୁମାର ମା’ଙ୍କୁ ପାଖରେ ରଖିବାପାଇଁ କୋର୍ଟରେ ଆବେଦନ କରିଛନ୍ତି।
ପୁଅ କ୍ରୀଷ୍ଣା ସିଂହଙ୍କ ଓକିଲ କହିଥିଲେ, ଦୁଇ ଝିଅ ସେମାନଙ୍କ ପରିବାର ସହ ରହୁଛନ୍ତି । ସେମାନଙ୍କ ପାଖରେ ମାଆଙ୍କୁ ରଖିବାକୁ ଘର ନାହିଁ । ଏହାର ଉତ୍ତରରେ କୋର୍ଟ କହିଛନ୍ତି, ଆପଣଙ୍କ ପାଖରେ କେତେ ସ୍ଥାନ ଅଛି ତାହା ନୁହେଁ, ବରଂ ମା’ର ଯତ୍ନ ନେବା ପାଇଁ ଆପଣଙ୍କ ମନ କେତେ ବଡ଼ ତାହା ଜରୁରୀ? ଖଣ୍ଡପୀଠ କହିଥିଲେ ମାଆଙ୍କୁ ରଖିବା ପାଇଁ ବଡ ଘର ଦରକାର ନାହିଁ ବଂର ଏଥିପାଇଁ ବଡ ହୃଦୟ ଦରକାର । ଏଥିସହ କୋର୍ଟ ବୃଦ୍ଧାଙ୍କ ସମ୍ପତ୍ତିର କ୍ରୟବିକ୍ରୟ ଉପରେ କଟକଣା ଲଗାଇଛନ୍ତି । କୋର୍ଟ ଏହି ମାମଲାରେ ଶୁଣାଣି କରିବା ସହ ବୃଦ୍ଧାଙ୍କ ପୁଅଙ୍କଠାରୁ ଉକ୍ତ ମାମଲାରେ ମଙ୍ଗଳବାର ସୁଦ୍ଧା ଜବାବ ମାଗିଛନ୍ତି।