କାନ୍ଧରେ ଉଠୁଛି କୋକେଇ । ଆଉ କୋକେଇରେ ଶୋଇଛି ଶବ । କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ । ପରିବାର ଲୋକ ଓ ପ୍ରିୟଜନଙ୍କ ଆଖିରେ ଲୁହ । ତେବେ ଏହା କୌଣସି ମରଶରୀର ଶବ ସତ୍କାର ଦୃଶ୍ୟ ନୁହେଁ ବରଂ ପଳାସ ପତ୍ରରେ ପ୍ରସ୍ତୁତ ପ୍ରତୀକାତ୍ମକ ଶବ ସତ୍କାର ଦୃଶ୍ୟ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ପାଟେଣୀ ଗାଁରେ । ଆଧୁନିକ ଯୁଗରେ ଲୋକେ ଆଜି ବି ଅନ୍ଧବିଶ୍ୱାସକୁ ମାନୁଛନ୍ତି । ବିଜ୍ଞାନ ଯାଇକି ଚନ୍ଦ୍ରପୃଷ୍ଠରେ ପହଞ୍ଚି ଥିବାବେଳେ ଗାଁ ଗହଳିର ଲୋକେ ଜ୍ୟୋତିଷ , ପଣ୍ଡିତ ଓ ଗୁଣିଆଙ୍କ କଥାରେ ପଡି ନାନା ପ୍ରକାର ବିଚିତ୍ର କାମ କରୁଥିବା ଦେଖିବାକୁ ମିଳୁଛି । ଗାଁରେ ଆଜି ସକାଳୁ କୋକେଇରେ ଶୋଇଥିଲା ତିନି ଶହ ପଳାସ ପତ୍ରରେ ପ୍ରସ୍ତୁତ ପ୍ରତୀକାତ୍ମକ ଶବ । ପତ୍ନୀ ବାହୁନି କନ୍ଦୁଥିଲେ । ବଡ ପୁଅ ବେଣୀରେ ନିଆ ଧରାଇ ଆଗେ ଆଗେ ଯାଉଥିଲା ।ନାତି ଖଇ କଉଡି ପକାଉଥିଲା ।ବନ୍ଧୁ ପରିଜନ ବି ସାମିଲ ହୋଇ ଘରୁ ଶ୍ମଶାନ ପର୍ଯ୍ୟନ୍ତ ଯାଇ ଶବ ସତ୍କାର କରାଇଥିଲେ । ସେଠି ବି ବଡ ପୁଅ ମୁଖାଗ୍ନି ଦେଇଥିଲେ । ଏମିତି ଏକ ହିନ୍ଦୁ ଶାସ୍ତ୍ର ଅନୁଯାୟୀ ପ୍ରତୀକାତ୍ମକ ଭାବେ ଶବ ସଂସ୍କାର ଘଟଣା ଏବେ ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୁଚନା ନେବାରୁ ଜଣାଯାଏ ସିଖର ପଞ୍ଚାୟତର ପାଟେଣୀ ଗାଁର ବେଣୁଧର ଜେନା ୩୬ ବର୍ଷ ପୂର୍ବେ କୋଲକାତାର ଏକ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିଲେ । ସେଠାରେ ସେ ଭଲ ପଇସା ବି ରୋଜଗାର କରୁଥିଲେ । ଦୁଇ ପୁଅ ଓ ଗୋଟିଏ ଝିଅକୁ ନେଇ ତାଙ୍କର ହସ ଖୁସିର ସଂସାର ଥିଲା । ଘରକୁ ରୀତିମତ ଯିବା ଆସିବା କରିବା ସହିତ ଟଙ୍କା ପଇସା ପଠାଉଥିଲେ । କିନ୍ତୁ କିଛି ବର୍ଷ ହେଲା ସେ ଆଉ ଘରକୁ ଆସିନଥିଲେ । ଫଳରେ ବେଣୁଧରଙ୍କୁ ଖୋଜିବା ପାଇଁ ପାଖ ଗାଁର କିଛି ଲୋକଙ୍କ ସହାୟତାରେ କୋଲକତା ଯାଇଥିଲେ ପତ୍ନୀ ଶୋଭାବତୀ ଓ ବଡ ପୁଅ ବାସୁଦେବ । ସେଠାରେ ତାଙ୍କୁ ନ ପାଇ ନିରାଶ ହୋଇ ଗାଁକୁ ଫେରି ଆସିଥିଲେ ମାପୁଅ ।ଏହା ଭିତରେ ବିତିଗଲାଣି ୩୬ ବର୍ଷ । ପରିବାରର ବିଭିନ୍ନ ସମାସ୍ୟାକୁ ନେଇ ବାସୁଦେବ ଜଣେ ଜ୍ୟୋତିଷଙ୍କ ପରାମର୍ଶ ନେଇଥିଲେ ।ଜ୍ୟୋତିଷ ଜଣକ ତାଙ୍କ ପରିବାର ଉପରେ ପ୍ରେତାତ୍ମାର ଦୃଷ୍ଟି ରହୁଥିବାର କହି ତାଙ୍କୁ ମୁକ୍ତିମଣ୍ଡପ ଯାଇ ପ୍ରତିକାର କରିବାକୁ ପରାମର୍ଶ ଦେଇଥିଲେ । ଶେଷରେ ବାସୁଦେବ ପୁରୀ ଯାଇ ସେଠାରେ କିଛି ପଣ୍ଡିତଙ୍କ ସହ ଆଲୋଚନା କରିଥିଲେ । କାର୍ତ୍ତିକ ମାସ ଏକାଦଶୀଠାରୁ ରୀତିନୀତି ଅନୁସାରେ ୧୪ ଦିନ ପଯ୍ୟନ୍ତ ବାପାଙ୍କ କ୍ରିୟାକର୍ମ କରିବା ପାଇଁ ପଣ୍ତିତ ପରାମର୍ଶ ଦେଇଥିଲେ । ପଣ୍ତିତ ଙ୍କ କହିବା ଅନୁସାରେ କୋକେଇ ବାନ୍ଧି ପଳାସ ପତ୍ରରେ ଶବ ତିଆରି କରିବା ସହିତ ସେଥିରେ ଧଳା କପଡା ଘୋଡାଇ ଦିଆଯାଇଥିଲା ।ବେଣୁଧରଙ୍କ ପତ୍ନୀ ଶୋଭାବତୀ ବାହୁନି କାନ୍ଦିବା ସହିତ ଚୁଡିଶଙ୍ଖାକୁ କୋକେଇରେ ରଖି ଦେଇଥିଲେ ।ବଡ ପୁଅ ବାସୁଦେବ ହାତରେ ନିଆଁ ବେଣୀ ଧରି ଆଗରେ ଚାଲିବା ସହିତ କୋକେଇକୁ ୪ ଜଣ କାନ୍ଧେଇ ଗାଁ ଶ୍ମଶାନକୁ ଯାଇଥିଲେ । ଆଗରେ ସଂକୀର୍ତ୍ତନ ମଣ୍ଡଳୀ ଝାଞ୍ଜ ମୃଦଙ୍ଗ ବଜାଇ ଯିବା ସହିତ ନାତି ଖଇ କଉଡି ବିଞ୍ଚି ଥିଲେ । ଗାଁ ଶ୍ମଶାନ ଘାଟରେ ଏହି ପ୍ରତୀକାତ୍ମକ ଶବ ସଂସ୍କାର କରାଯାଇଥିଲା । ବଡ ପୁଅ ବାସୁଦେବ ମୁଖାଗ୍ନି ଦେଇଥିଲେ ।