ମାଲକାନଗିରି,୧୦.୦୪.୨୦୨୩ (ଏନଏନଏସ ଓଡ଼ିଆ) : ମାଲକାନଗିରିର ସ୍ଵାଭିମାନ ଅଞ୍ଚଳରେ ସୁଟିଂ ହେବ ସୁପର ହିଟ ଚଳଚ୍ଚିତ୍ର ପୁଷ୍ପାର ପାର୍ଟ୍ -୨। ପୁଷ୍ପା ଚଳଚ୍ଚିତ୍ରର ଅବଶିଷ୍ଟାଂଶକୁ ନେଇ ପୁଷ୍ପା ୨ ଚଳଚିତ୍ର ସୁଟିଙ୍ଗ ହେବ। ଏନେଇ ଜିଲ୍ଲାପାଳ ଓ ଏସ୍.ପି.ଙ୍କ ଠାରୁ ଅନୁମତି ଲୋଡିଛନ୍ତି ପ୍ରଯୋଜକ।
ପୁଷ୍ପାର ଦ୍ଵିତୀୟ ଭାଗ କେବେ ଆସିବ ସେନେଇ ଦର୍ଶକ ଅପେକ୍ଷା କରିଥିବା ବେଳେ ଏହି ଚଳଚିତ୍ରର ସୁଟିଙ୍ଗ ପାଇଁ ମାଲକାନଗିରି ଜିଲ୍ଲାକୁ ମନୋନୀତ କରିଛନ୍ତି ଏହାର ପ୍ରଯୋଜକ ଟିମ । ପ୍ରଯୋଜକ ସଂସ୍ଥା ମୈତ୍ରୀ ମୁଭି ମେକର ପକ୍ଷରୁ ପୁଷ୍ପା ୧ ଅପୂର୍ବ ସଫଳତା ହାସଲ କରିଥିବା ବେଳେ ପୁଷ୍ପା ୨ ଚଳଚ୍ଚିତ୍ର ନିମନ୍ତେ ଏହି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୁଟିଂ କାର୍ଯ୍ୟ ଜାରିଥିବା ରହିଛି। ଏହି ସଂସ୍ଥା ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ଓ ସପ୍ତଧାରା ନଦୀର ବିଭିନ୍ନ ଜାଗାରେ ସୁଟିଙ୍ଗ କରିବା ନିମନ୍ତେ ଆଗ୍ରହ ପ୍ରକାଶ କରିଛନ୍ତି । ମାଲକାନଗିରି ଭଳି ଜିଲ୍ଲାରେ ଏପରି ସୁପର ହିଟ ଚଳଚ୍ଚିତ୍ରର ଦ୍ଵିତୀୟ ଭାଗ ସୁଟିଂ ହେବା ଜିଲ୍ଲା ପାଇଁ ଗର୍ବର ବିଷୟ ହୋଇଥିବା ବେଳେ ଏନେଇ ପ୍ରଯୋଜକ ଟିମ ମାଲକାନଗିରି ଜିଲ୍ଲାପାଲ ବିଶାଳ ସିଂ ଓ ଆରକ୍ଷୀ ଅଧିକ୍ଷକ ନିତେଶ ୱାଧ୍ୱାନୀଙ୍କୁ ଲିଖିତ ଭାବେ ସୁଟିଙ୍ଗ ଅନୁମତି ପାଇଁ ଆବେଦନ କରିଛନ୍ତି ।
ଚଳଚ୍ଚିତ୍ର ନିର୍ମାଣ ସଂସ୍ଥାର ଏକ ଟିମ୍ ଗତ ଏକମାସ ଧରି ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲିଥିବା ବେଳେ ଶେଷରେ ସ୍ୱାଭିମାନ ଅଞ୍ଚଳର ଝୁଲା ପୋଲ, ହନ୍ତାଳଗୁଡା ଘାଟି ଓ ଚିତ୍ରକୋଣ୍ଡା ସ୍ପିଲବେରେ ନିର୍ମାଣାଧୀନ ପୋଲ ନିକଟରେ ସୁଟିଂ କରିବା ନିମନ୍ତେ ଯୋଜନା କରିଛନ୍ତିା ଏଥି ନେଇ ମୈତ୍ରି ମୁଭି ମେକର ସଂସ୍ଥା ପକ୍ଷରୁ ଫାଇଟ୍ ମାଷ୍ଟର ପିଟର ହାଇନସ୍, କଳା ନିର୍ଦେଶକ ରାମକ୍ରିଷ୍ଣା, ଫାଇଟ ମାଷ୍ଟର ଡ୍ରାଗନ ପ୍ରକାଶ, ସହକାରୀ ପ୍ରଯୋଜକ ସୁଭ୍ରମଣ୍ୟମ୍, ସହ ନିର୍ଦେଶକ ପ୍ରସାଦ ମାରିସେଟି, କ୍ୟାମେରା ମେନ ଦେବରାଜ ପ୍ରମୁଖ ଗତ କାଲି ଓ ଆଜି ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ।