ମହାପ୍ରଭୁଙ୍କ ଶ୍ରୀ ଜଗନ୍ନାଥଙ୍କ ମନ ମୁତାବକ ମହଣ ମହଣ ସୁନା ଅଳଙ୍କାର ରେ ଖଞ୍ଜିହୋଇ ରାଜାରାଜେଶ୍ୱର ବେଶରେ ରଥ ଉପରେ ବିରାଜମାନ କରିଥାନ୍ତି । ଏହି ଦୁର୍ଲଭ ବେଶର ଦର୍ଶନ ମାତ୍ରେ ସମସ୍ତ ପାପ ଧୋଇ ହୋଇ ଯାଇଥାଏ ବୋଲି ବିଶ୍ୱାସ ରହିଛି ।ଆଷାଢ଼ ଏକାଦଶୀରେ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ରଥ ଉପରେ ବେଶ ଆରମ୍ଭ ହୁଏ। ପାଳିଆ ମେକାପ, ଖୁଣ୍ଟିଆ ସେବକ, ମାଜିଷ୍ଟ୍ରେଟ୍, ପୁଲିସ୍ ଓ ମନ୍ଦିର ଅଧିକାରୀଙ୍କ ସହାୟତାରେ ସୁନା ଅଳଙ୍କାର ଶ୍ରୀମନ୍ଦିର ଭଣ୍ଡାର ଘରୁ ରଥ ଉପରକୁ ଆସେ। ପାଳିଆ ପୁଷ୍ପାଳକ, ଦଇତାପତି, ଖୁଣ୍ଟିଆ ମେକାପ, ତଳୁଚ୍ଛ, ଭିତରଚ୍ଛ ସେବକମାନେ ରଥ ଉପରେ ରହି ଚତୁର୍ଦ୍ଧା ମୂର୍ତିଙ୍କୁ ସୁନାରେ ସଜବାଜ କରିଥାନ୍ତି। ଇତିହାସ ଅନୁଯାୟୀ ରାଜା କପିଳେନ୍ଦ୍ରଦେବ ଦାକ୍ଷିଣାତ୍ୟ ବିଜୟ ପରେ ସେ ବିପୁଳ ସୁନା ଓ ଧନରତ୍ନ ୧୬ଟି ହାତୀ ପିଠିରେ ଲଦି ନିଜ ରାଜ୍ୟକୁ ଆଣି ମହାପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଶ୍ରୀମନ୍ଦିରର ଜୟବିଜୟ ଦ୍ବାର ଶିଳାଲେଖରୁ ଏ ସମ୍ପର୍କରେ ସୂଚନା ମିଳେ। ସ୍ବର୍ଣ୍ଣ ଅଳଙ୍କାରରେ ମହାପ୍ରଭୁମାନଙ୍କୁ ଭୂଷିତ କରିବାର କାମନା କରି ସେ ନିଜ ରାଜ ଦରବାରର ଅଳଙ୍କାର ଦାୟିତ୍ବରେ ଥିବା ତଢ଼ାଉ କରଣ ଓ ପରେ ରାଜଗୁରୁଙ୍କ ସହ ପରାମର୍ଶ କରିଥିଲେ। ରାଜାଙ୍କର ଏପରି ଆଗ୍ରହ ଦେଖି ବଡ଼ ତଢ଼ାଉ ରଥଯାତ୍ରାର ଅନ୍ତିମ ପର୍ୟ୍ୟାୟରେ ସବୁ ବର୍ଗର ଭକ୍ତଙ୍କ ପାଇଁ ରଥ ଉପରେ ଏହି ବେଶ କରିବା ପାଇଁ ଅନୁରୋଧ କରିଥିଲେ। ବଡ଼ ତଢ଼ାଉଙ୍କ ଏପରି ଶ୍ରଦ୍ଧା ଓ ଅନୁରୋଧକ୍ରମେ କପିଳେନ୍ଦ୍ରଦେବ ବଡ଼ ତଢ଼ାଉ ନାମକ ଏକ ପ୍ରକାର କଣ୍ଠମାଳା ସମେତ ୧୩୮ପ୍ରକାର ରତ୍ନ ଖଚିତ ସୁନା ଅଳଙ୍କାର କରି ସୁନାବେଶର ବନ୍ଦୋବସ୍ତ କରାଇଥିଲେ। ସେବେଠାରୁ ଏହି ସୁନାବେଶକୁ ରାଜାରାଜେଶ୍ବର ବେଶ ବ୍ୟତୀତ ବଡ଼ ତଢ଼ାଉ ବେଶ ବି କୁହାଯାଉଛି। ସେବେଠାରୁ ମହାପ୍ରଭୁ ବର୍ଷକୁ ୫ଥର ସନାବେଶ ହେଉଥିଲେ ହେଁ ଆଷାଢ଼ ଶୁକ୍ଳ ଏକାଦଶୀରେ ରଥ ଉପରେ ଅନୁଷ୍ଠିତ ଏହି ବେଶ ଲକ୍ଷଲକ୍ଷ ଭକ୍ତଙ୍କୁ ସମର୍ପିତ । ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଶ୍ରୀବିଗ୍ରହମାନେ ଶ୍ରୀମନ୍ଦିର ଅଭିମୁଖେ ଦକ୍ଷିଣାଭିମୁଖୀ ଯାତ୍ରା ଶେଷରେ ସିଂହଦ୍ବାରଠାରେ ପହଞ୍ଚିବା ପରେ ବଡ଼ ଏକାଦଶୀରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବାର ପରମ୍ପରା ବହୁ ପ୍ରାଚୀନ ଓ ଅତି ଆକର୍ଷଣୀୟ । ସୁନାବେଶ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଡାହାଣ ହାତରେ ଧାରଣ କରୁଥିବା ‘ଚକ୍ର’ ସୁନାରେ ଏବଂ ବାମ ହାତରେ ଧାରଣ କରୁଥିବା ‘ଶଙ୍ଖ’ ରୁପାରେ ନିର୍ମିତ। ଶ୍ରୀବଳଭଦ୍ର ବାମ ହାତରେ ସୁନାର ‘ହଳ’ ଓ ଡାହାଣ ହାତରେ ସୁନାର ‘ଗଦା’ ଧାରଣ କରିଥାଆନ୍ତି। ସେହିପରି ବିଭିନ୍ନ ଫୁଲ ନାମରେ ନାମିତ ବିଭିନ୍ନ ମାଳା ବି ସୁନାରେ ନିର୍ମିତ। ଚତୁର୍ଦ୍ଧା ମୂର୍ତି ପ୍ରାୟ ୨ କୁଇଣ୍ଟାଲ ୮ କେଜି ସୁନାରେ ସଜେଇ ହୁଅନ୍ତି। ଏସବୁ ବର୍ଷ ସାରା ଶ୍ରୀମନ୍ଦିରର ଟ୍ରେଜେରି ତଥା ଭିତର ଭଣ୍ଡାରଗୃହରେ ରହିଥାଏ। ଶ୍ରୀମନ୍ଦିରର ‘ରେକର୍ଡ ଅଫ୍ ରାଇଟ୍ସ’ ମୁତାବକ, ମହାପ୍ରଭୁଙ୍କ ପାଇଁ ନିର୍ମିତ ମାଳ ବା ହାର ୧୨୦ ତୋଳା ତଥା ୧.୪ କେଜିର। ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ପ୍ରସ୍ତୁତ ସୁନା ହାତ ଓ ପାଦର ଓଜନ ଯଥାକ୍ରମେ ୮୧୮ ତୋଳା ତଥା ୯.୫୪ କେଜି ଏବଂ ବଳଭଦ୍ରଙ୍କର ୭୧୦ ତୋଳା ତଥା ୮.୨୮ କେଜି। ଶ୍ରୀଜଗନ୍ନାଥଙ୍କ ମୁକୁଟ ୬୧୦ ତୋଳା ତଥା ୭.୧୨ କେଜି, ବଳଭଦ୍ରଙ୍କର ୪୩୪ ତୋଳା ତଥା ୫ କେଜି ଏବଂ ଦେବୀ ସୁଭଦ୍ରାଙ୍କର ୨୭୪ ତୋଳା ତଥା ୩.୨ କେଜି ଓଜନ ବିଶିଷ୍ଟ। ଏମିତି ବେଶ କେଉଁଠି ନାହିଁ ମହାପ୍ରଭୁଙ୍କର ହାତ କି ପାଦ ଅଦୃଶ୍ୟ ଥିଲେ ହେଁ କେବଳ ଏହି ସୁନାବେଶରେ ମହାପ୍ରଭୁଙ୍କ ହାତପାଦ ସଂଦର୍ଶନ କରିବାର ଅବସର ମିଳେ। ଏବଂ ସୁଭଦ୍ରାଙ୍କର କାନ ଅଦୃଶ୍ୟ ଥିଲେ ମଧ୍ୟ ଏହି ସମୟରେ ଦେବୀଙ୍କଠାରେ ସୁନା କାନ ଲାଗେ ଏବଂ ଏଥିରେ କୁଣ୍ଡଳ ଶୋଭା ପାଏ। ମହାପ୍ରଭୁ ଉଭୟ ପୁରୁଷ ଓ ସ୍ତ୍ରୀଙ୍କ ଅଳଙ୍କାର ପରିଧାନ କରନ୍ତି। ତେବେ ଏତେ ବଡ଼ ଅଳଙ୍କାର ବିଶ୍ବରେ କେବଳ ଚତୁର୍ଦ୍ଧା ମୂର୍ତି ହିଁ ପରିଧାନ କରଥାନ୍ତି ।
#SUNABESA #JAGANNATH #PURI #RATHAYATRA #NNSODIA