ଭୁବନେଶ୍ୱର(ଏନଏନଏସ୍): ଆଜିଠୁ ରାଜ୍ୟରେ ଖରାଛୁଟି । ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଆଗୁଆ ଖରାଛୁଟି ଘୋଷଣା କରାଯାଇଛି । ଏପ୍ରିଲ ୨୧ରୁ ଜୁନ୍ ୧୬ ଯାଏଁ ରାଜ୍ୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ବେସରକାରୀ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ । ଅପ୍ୟପକ୍ଷରେ ଆଜି ଅନୁଷ୍ଠିତ ହେବାକୁ ଥିବା ୨୦୨୩-୨୪ ଶିକ୍ଷା ବର୍ଷର ପ୍ରଥମ ଅଭିଭାବକ-ଶିକ୍ଷକ ବୈଠକ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆଗୁଆ ଖରାଛୁଟି ଓ ପିଲାଙ୍କ ପାଠପଢ଼ା ନେଇ ଆଲୋଚନା ହେଉଛି ।
ଚଳିତବର୍ଷ ଆଗୁଆ ଗ୍ରୀଷ୍ମ ଛୁଟି ଘୋଷଣା ହୋଇଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ପାଠପଢ଼ାରେ ନିୟୋଜିତ ରଖିବା ଲାଗି ପ୍ରାଥମିକରୁ ମାଧ୍ୟମିକ ସ୍ତରର ପିଲାଙ୍କ ପାଇଁ ‘ଅବକାଶ ଗୃହ କାର୍ଯ୍ୟ’ ପୁସ୍ତିକା ଅଭିଭାବକଙ୍କୁ ପ୍ରଦାନ କରାଯିବ । ଗ୍ରୀଷ୍ମ ଅବକାଶରେ ପିଲାମାନେ ସେମାନଙ୍କ ଅଭିଭାବକଙ୍କ ସହାୟତାରେ ଏହି ଗୃହ କାର୍ଯ୍ୟଗୁଡ଼ିକୁ ସମ୍ପାଦନ କରିବେ। ଅଭିଭାବକମାନେ ମଧ୍ୟ ପିଲାଙ୍କୁ ଏହି ‘ଅବକାଶ ଗୃହ କାର୍ଯ୍ୟ’ ସମ୍ପାଦନ କରିବାକୁ ପ୍ରୋତ୍ସାହିତ କରିବେ। ଫଳରେ ପିଲାମାନେ ଖରା ଛୁଟିକୁ ଉପଭୋଗ କରିବା ସହ ପାଠ୍ୟପୁସ୍ତକ ସହ ସଂଯୁକ୍ତ ହୋଇ ରହିବେ। ଅନ୍ୟପଟେ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାସ୍ତରରେ ହେଲ୍ପ ଡେସ୍କ ତଥା କଲ୍ ସେଣ୍ଟର ଖୋଲିବ।