କୂଅ ମଧ୍ୟରୁ ମିଳିଲା ଜଣେ ଯୁବକଙ୍କ ମୃତଦେହ | ଏଥିସହିତ ଏକ ବାଇକକୁ ମଧ୍ୟ କୂଅ ଭିତରୁ ଉଦ୍ଧାର କରିଛି ପୋଲିସ | ମୃତକ ଜଣକ ହେଲେ ଯାଜପୁର ସୁକିନ୍ଦା ଥାନା ଅନ୍ତର୍ଗତ ବାମ୍ବିଲୋ ଗ୍ରାମର ରମେଶ ସେଠୀ | ତେବେ ମୃତକ ଜଣକ ଗାଡି ଚାଳକ ସଂଘର କର୍ମଚାରୀ ଥିଲେ | ତାଙ୍କୁ କେହି ହତ୍ୟା କରି କୂଅ ଭିତରେ ଫିଙ୍ଗି ଦେଇଥିବା ସୁକିନ୍ଦା ଡ୍ରାଇଭର ମହା ସଙ୍ଘ ପକ୍ଷରୁ ଅଭିଯୋଗ ହୋଇଛି | ଏହାର ପ୍ରତିବାଦରେ ସେମାନେ ମଙ୍ଗଳପୁର ଜାତୀୟ ରାଜପଥକୁ ଅବରୋଧ କରିଥିଲେ | ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା | ଫଳରେ ଦୀର୍ଘ ସମୟ ଧରି ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା |
ଖବର ପାଇ କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଓ ସୁକିନ୍ଦା ଅତିରିକ୍ତ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି । ସୂଚନାରୁ ଜଣାଯାଇଛି ଯେ, ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର ସମିଲ ସାହି ଦାଣ୍ଡରେ ଥିବା କୂଅ ମଧ୍ୟରେ ବାଇକ ସହ ଯୁବକଙ୍କ ମୃତଦେହ ପଡ଼ିଥିବା ଶୁକ୍ରବାର ସକାଳୁ ଗ୍ରାମବାସୀ ଦେଖିବାକୁ ପାଇଥିଲେ | ଗ୍ରାମବାସୀଙ୍କ ଠାରୁ ସୁକିନ୍ଦା ଦମକଳ ବାହୀନି ଖବରପାଇ ଘଟଣାସ୍ଥଳରେ ପହଞ୍ଚି କୁଅ ମଧ୍ୟରୁ ବାଇକ ସହ ମୃତଦେହ ଉଦ୍ଧାର କରିଥିଲା |