ଚାଲିଛି ବାର୍ଷିକ ପରୀକ୍ଷା | ତେବେ ଛାତ୍ରମାନେ ପାଠ ପଢିବା ପରିବର୍ତ୍ତେ ରୋଷେଇ କାମରେ ଲାଗି ପଡ଼ିଛନ୍ତି | ସେ ପୁଣି ପ୍ରଧାନଶିକ୍ଷକଙ୍କ ନିର୍ଦ୍ଦେଶରେ | ଶିକ୍ଷାଦାନ ପରିବର୍ତ୍ତେ ଜଣେ ପ୍ରଧାନଶିକ୍ଷକ ଛାତ୍ରମାନଙ୍କୁ ରୋଷେଇ କାର୍ଯ୍ୟରେ ନିୟୋଜିତ କରୁଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ମଲକାନଗିରି ଜିଲା ସଦର ବ୍ଲକ ସେରପାରି ଉଚ୍ଚ ବିଦ୍ୟାଳୟରେ | ମାଲକାନଗିରି ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର ସେରପାରି ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ସମୟରେ ଏଭଳି ଦେଖି ସ୍କୁଲର ପ୍ରଧାନଶିକ୍ଷକଙ୍କ ବିରୋଧରେ ଏହି ସଂଗୀନ ଅଭିଯୋଗ ଆଣିଛନ୍ତି |
କୋଭିଡ କଟକଣା ହଟିବା ପରେ ଏପ୍ରିଲ ୮ରୁ ମାଲକାନଗିରି ଜିଲ୍ଲାରେ ସମସ୍ତ ବିଦ୍ୟାଳୟ ଖୋଲିଛି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପିଲାମାନେ ଛାତ୍ରାବାସରେ ରହି ପାଠ ପଢୁଛହାନ୍ତି | ବର୍ତ୍ତମାନ ଅଷ୍ଟମ , ନବମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ବାର୍ଷିକ ପରୀକ୍ଷା ହେଉଛି । ମାତ୍ର ଏହି ସମୟରେ ସେମାନଙ୍କୁ ଶିକ୍ଷାଦାନ ପରିବର୍ତ୍ତେ ଜଣେ ପ୍ରଧାନଶିକ୍ଷକ ସେମାନଙ୍କୁ ରୋଷେଇ କାର୍ଯ୍ୟରେ ନିୟୋଜିତ କରୁଥିବା ଅଭିଯୋଗ ହୋଇଛି ।
ଖବରରୁ ଜଣାପଡ଼ିଛି, ସେରପାରି ଉଚ୍ଚ ବିଦ୍ୟାଳୟ ଛାତ୍ରାବାସରେ ୩୫ ଜଣ ଛାତ୍ର ରହି ପାଠ ପଢୁଛନ୍ତି । ପାଠପଢ଼ା ଦିଗରେ ଉତ୍ସାହିତ କରିବା ବଦଳରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଭଗବାନ ମଲ୍ଲିକ ସେମାନଙ୍କୁ ଦୁଇବେଳା ରୋଷେର କାର୍ଯ୍ୟରେ ନିୟୋଜିତ କରୁଥିବା ବ୍ଲକ ଉପାଧ୍ୟକ୍ଷ ହାଲଦାର ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଆଇଟିଡିଏ ଭାରପ୍ରାପ୍ତ ପ୍ରକଳ୍ପ ପ୍ରଶାସକ ତଥା ଉପଜିଲାପାଳ ଅକ୍ଷୟ କୁମାର ଖେମୁଡଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ସେ କହିଲେ ମୋ ନିକଟକୁ ଏ ଖବର ଆସିଛି | ଏହି ଘଟଣାର ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ସେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବେ । ଯଦି ଅଭିଯୋଗର ସତ୍ୟତା ରହିଥିବ ତେବେ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖେମୁଡ ପ୍ରକାଶ କରିଛନ୍ତି |