ପୁଣି ଜୋର ଧରିଲା ଯୁକ୍ତ ୨ ପରୀକ୍ଷା ବାତିଲ ଦାବି | ରାଜରାସ୍ତାକୁ ଓହ୍ଲାଇଛନ୍ତି କେନ୍ଦ୍ରାପଡା ଜିଲ୍ଲାର ଯୁକ୍ତ ୨ ଶେଷ ବର୍ଷର ଛାତ୍ରଛାତ୍ରୀ । ଯୁକ୍ତ ୨ ଶେଷ ବର୍ଷର କାଉନସିଲ ପରୀକ୍ଷା ବାତିଲ କରିବା ଦାବିରେ ସାରା ଜିଲ୍ଲାର ଯୁକ୍ତ ୨ ଶ୍ରେଣୀର ନବ ନିର୍ମାଣ ଛାତ୍ର ସଂଗଠନ ପକ୍ଷରୁ ତେଜିଛି ଆନ୍ଦୋଳନ । ଆନ୍ଦୋଳନରତ ଛାତ୍ରଛାତ୍ରୀ କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି | ସମସ୍ୟା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଇବେ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରତିଶୃତି ଦେବା ପରେ ଛାତ୍ରଛାତ୍ରୀ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ | ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ, କରୋନା ଯୋଗୁ ପ୍ରଥମ ବର୍ଷରେ ସେମାନଙ୍କୁ କିଛି ପାଠ ପଢାଗଲାନି । ଦିତୀୟ ବର୍ଷରେ ମାତ୍ର ୨ ମାସ ଅନଲାଇନରେ ପାଠ ପଢାଯାଇଛି । ତେବେ ଅନଲାଇନ ସୁବିଧା ନଥିବାରୁ ଅନେକ ଗରିବ ଛାତ୍ରଛାତ୍ରୀ ପାଠପଢ଼ାରୁ ବଞ୍ଚିତ ହୋଇଛନ୍ତି | ଆଣ୍ଡ୍ରଏଡ୍ ମୋବାଇଲ ଅଭାବ ସାଙ୍ଗକୁ ପ୍ରତି ମାସରେ ରିଚାର୍ଜ ସମସ୍ୟା ଅନଲାଇନ ପାଠପଢା ପାଇଁ ସୃଷ୍ଟି କରିଛି ବ୍ୟାଘାତ । ଏଣୁ ସବୁ ଛାତ୍ରଛାତ୍ରୀମାନଙ୍କ ପକ୍ଷରେ ପାଠପଢିବା ସମ୍ଭବ ହୋଇପାରିନି । ମାତ୍ର ୨ ମାସ ଅନଲାଇନରେ ପାଠ ପଢାଇ କିପରି ୨ ବର୍ଷର ପାଠକୁ ନେଇ ଦୁଇ ବର୍ଷର ପରୀକ୍ଷା ଦେବେ ଛାତ୍ରଛାତ୍ରୀ ବୋଲି ଯୁକ୍ତି ଉପସ୍ଥାପନ କରିଛନ୍ତି ଛାତ୍ରଛାତ୍ରୀ । ତେବେ ଗତ ଜାନୁଆରୀ ୨୮ ତାରିଖରେ ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀମାନେ କେନ୍ଦ୍ରାପଡା ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ସମସ୍ୟା ସମ୍ପର୍କରେ କହିଥିଲେ । ୪୮ ଘଣ୍ଟା ମଧ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ । ହେଲେ ଏପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ କୌଣସି ଉତ୍ତର ନ ମିଳିବାରୁ ଆଜି ପୁଣି ଆନ୍ଦୋଳନକୁ ଓଲ୍ହାଇଥିବା କହିଛନ୍ତି ଛାତ୍ରଛାତ୍ରୀ |