ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧୀ ଅଭିଯାନ ଜାରି ରହିଛି । ଆଉ ୮ ଅଧିକାରୀଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର । ବର୍ତ୍ତମାନ ସୁଦ୍ଧା ୧୩୦ ଜଣ ଦୁର୍ନୀତିଗ୍ରସ୍ତ ଓ ଅପାରଗ ଚାକିରିଆଙ୍କୁ ବହିଷ୍କାର କରାଗଲାଣି । ଏମଙ୍କ ମଧ୍ୟରୁ ନିମାପଡାର ପୂର୍ବତନ ତହସିଲଦାର ତଥା ସବ୍ ରେଜିଷ୍ଟର ଦାୟିତ୍ବରେ ଥିବା ଓ.ଏ.ଏସ୍ ଅଧିକାରୀ ରାମଚନ୍ଦ୍ର ଜେନାଙ୍କ ବିରୁଦ୍ଧରେ ୩ଟି ଦୁର୍ନୀତି ଅଭିଯୋଗ ରହିଛି । ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ତଲାସି କରାଯାଇଥିବା ସମୟରେ ତାଙ୍କ ନିକଟରୁ ଏକାଧିକ ପ୍ୟାନ୍ କାର୍ଡ ସହିତ ୫ ଲକ୍ଷ ଟଙ୍କା ଜବତ କରାଯାଇଥିଲା । ଏହାପରଠାରୁ ସେ ଚାକିରୀରୁ ନିଲମ୍ବିତ ହୋଇଥିଲେ । ସେହିପରି ଜଗତସିଂହପୁରର ପୂର୍ବତନ ଡ଼େପୁଟି କଲେକ୍ଟର ଓ.ଏ.ଏସ୍ ଅଧିକାରୀ ଗୌରାଙ୍ଗ ଚରଣ ମହାନ୍ତିଙ୍କ ବିରୁଦ୍ଧରେ ୭ଟି ଦୁର୍ନୀତି ଅଭିଯୋଗ ଥିଲା । ତାଙ୍କ ନାମରେ ସରକାରୀ ପାଣ୍ଠି ଆତ୍ମସାତ ତଥା ସରକାରୀ ଯୋଜନାର ସୁବିଧା ଆବଣ୍ଟନରେ ଅନିୟମିତତାର ଅଭିଯୋଗ ଥିଲା । ସୁନ୍ଦରଗଡ ଲାଠିକଟାର ପୂର୍ବତନ ତହସିଲଦାର ଏବଂ ବର୍ତ୍ତମାନ ବରଗଡର ଅମ୍ବାଭୋନାରେ ବି.ଡି.ଓ ଥିବା ଓ.ଏ.ଏସ୍ ଅଧିକାରୀ ଆଲଫୋନ୍ସ ବିଲୁଙ୍ଗଙ୍କ ନାମରେ ୩ଟି ଦୁର୍ନୀତି ଅଭିଯୋଗ ରହିଛି । ସେ ଜମିର କିସମ ପରିବର୍ତ୍ତନ ତଥା ରାଜସ୍ବ ଆଦାୟ କ୍ଷେତ୍ରରେ ଅନୁଚିତ ଅନୁଗ୍ରହ ପ୍ରଦାନ କରି ସରକାରଙ୍କୁ କ୍ଷତି ପହଞ୍ଚାଇଥିଲେ । ସେହିପରି କେନ୍ଦୁଝର ଜଳସେଚନ ବିଭାଗ ବୈତରଣୀ ଡିଭିଜନର ପୂର୍ବତନ ସୁପରିଟେଣ୍ଡିଂ ଇଞ୍ଜିନିୟର ବିଧାନ ଚନ୍ଦ୍ର ସାହୁଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି । ୨୦୨୧ ଅକ୍ଟୋବର ମାସରେ ସେ ବହୁ ପରିମାଣର ଟଙ୍କା ଧରି ଯାଉଥିବାର ଖବର ପାଇ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ତାଙ୍କୁ ହଠାତ୍ ଯାଞ୍ଚ କରାଯାଇଥିଲା ଏବଂ ତାଙ୍କ ନିକଟରୁ ୧୦ ଲକ୍ଷ ଟଙ୍କା ଜବତ କରିଥିଲା। କଳାହାଣ୍ଡି ଲାଞ୍ଜିଗଡ ବ୍ଲକ୍ର ବିଶ୍ବନାଥପୁରଠାରେ ସମନ୍ବିତ ଶିଶୁ ବିକାଶ ଯୋଜନାର ସିଡିପିଓ ମୀନା ପାତ୍ର ୨୦୨୧ ଅକ୍ଟୋବର ୪ ତାରିଖରେ ଦୁଇଟି ସ୍ବୟଂ ସହାୟକ ଗୋଷ୍ଠୀ ଠାରୁ ଛତୁଆ ଯୋଗାଣ ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ, ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢଉ କରି ତାଙ୍କୁ ଧରା ଯାଇଥିଲା । ସେହିପରି କଳାହାଣ୍ଡି ଥୁଆମୂଳ ରାମପୁର ବ୍ଲକ୍ର ସମନ୍ବିତ ଶିଶୁ ବିକାଶ ଯୋଜନାର ସିଡିପିଓ ପୁଷ୍ପାଞ୍ଚଳୀ ରଥ ୨୦୨୧ ଅକ୍ଟୋବର ୨୫ ତାରିଖରେ ଗୋଟିଏ କର୍ମୀ ନିଯୁକ୍ତି ପାଇଁ ୧ ଲକ୍ଷ ଟଙ୍କା ଦାବୀ କରି ଲାଞ୍ଚ ଗ୍ରହଣ କରୁଥିବା ବେଳେ, ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ତାଙ୍କୁ ଧରା ଯାଇଥିଲା ।
ଓଡିଶା ଅବକାରୀ ସେବା ଅଧିନରେ କାମ କରୁଥିବା ଦେବଗଡର ପୂର୍ବତନ ଡେପୁଟି ଅବକାରୀ ସୁପରିଟେଣ୍ଡେଣ୍ଟ ଅଜିତ କୁମାର ମହାପାତ୍ର ୨୦୨୧ ସେପ୍ଟେମ୍ବର ୨୯ ତାରିଖ ଦିନ ଦେଢ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଧରା ଯାଇଥିଲା । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ୍ କ୍ୟାସିଅର ଭାବରେ କାମ କରୁଥିବା ପ୍ରଭାକର ପ୍ରଧାନ ବିଭିନ୍ନ ହିତାଧିକାରୀଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିଲେ । ତାଙ୍କ ନାମର ଦୁଇଟି ଅଭିଯୋଗ ରହିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ସମୟରେ ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଉପରେ ସର୍ବାଧିକ ଗୁରୁତ୍ବ ଆରୋପ କରିଆସିଛନ୍ତି। ସାଧାରଣ ଜୀବନରେ ସାଧୁତା ଓ ନୈତିକତା ବଜାୟ ରଖିବା ସହ ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି।