ବାରାଣାସୀରୁ ଚୋରି ହୋଇଥିବା ମା’ ଅନ୍ନପୂର୍ଣ୍ଣାଙ୍କ ମୂର୍ତ୍ତି ପୁଣି ଫେରିଛି ଭାରତକୁ । ଶହେ ବର୍ଷ ତଳେ ଚୋରି ହୋଇଥିବା ମା’ଙ୍କ ପ୍ରତିମା କାନାଡାରୁ ଏବେ ଭାରତକୁ ଆସିଛି । ମା’ଙ୍କ ଏହି ପ୍ରତିମା ୧୮ଶହ ଶତାବ୍ଦୀର ବୋଲି ଜଣାଯାଇଛି । ଆସନ୍ତାକାଲି ଏହି ମୂର୍ତ୍ତିକୁ ଉତ୍ତରପ୍ରଦେଶ ସରକାରଙ୍କୁ ହସ୍ତାନ୍ତର କରାଯିବ । ମା’ ଅନ୍ନପୂର୍ଣ୍ଣା ଏହି ମୂର୍ତ୍ତିରେ ଗୋଟିଏ ହାତରେ ଖିରି ଥିବା ତାଟିଆ ଏବଂ ଅନ୍ୟ ହାତରେ ଚାମଚ ଧରିଛନ୍ତିି । ୧୯୧୩ ମସିହାରେ କାଶୀର ଏକ ଘାଟରୁ ଏହି ପୁରୁଣା ମୂର୍ତ୍ତି ଚୋରି ହୋଇଯାଇଥିଲା । ପରେ ଏହାକୁ କାନାଡା ପଠାଇ ଦିଆଯାଇଥିଲା । ସୂଚନା ଅନୁସାରେ କାନାଡାର ଏକ ବିଶ୍ୱବିଦ୍ୟାଳୟରେ ଏହି ମୂର୍ତ୍ତି ରଖାଯାଇଥିଲା । ରେଜିନା ବିଶ୍ୱବିଦ୍ୟାଳୟର ମୋଙ୍କେଜି ଆର୍ଟ ଗ୍ୟାଲେରିରେ ଏହି ମୂର୍ତ୍ତି ପ୍ରଦର୍ଶିତ ହେଉଥିଲା । ଏକ ପ୍ରଦର୍ଶନୀରେ ଏହି ପୁରାତନ ମୁର୍ତ୍ତି ପ୍ରଦର୍ଶନ କରାଯାଇଥିବାବେଳେ କଳାକାର ଦିବ୍ୟା ମେହରଙ୍କ ଦୃଷ୍ଟି ଏହା ଉପରେ ପଡ଼ିଥିଲା । ଭାରତର ପ୍ରାଚୀନ ମୂର୍ତ୍ତିକୁ ଫେରାଇ ନେବା ପାଇଁ ସେ ସରକାରଙ୍କ ସହ ଯୋଗାଯୋଗ କରିଥିଲେ । ଏହାକୁ ଫେରାଇ ଆଣିବା ପାଇଁ ମୋଦି ସରକାର ଚେଷ୍ଟା ଆରମ୍ଭ କରିଦେଲେ । ଏହି ମୂର୍ତ୍ତିକୁ ଭାରତକୁ ଫେରାଇ ଆଣିବା ପାଇଁ ଗତବର୍ଷ ମନ୍କି ବାତ୍ରେ ପ୍ରଧାନମନ୍ତ୍ରୀ ମୋଦି ସୂଚନା ଦେଇଥିଲେ । ମା’ ଅନ୍ନପୂର୍ଣ୍ଣାଙ୍କ ଏହି ପ୍ରାଚୀନ ମୂତ୍ତି ୧୫ ତାରିଖରେ କାଶୀ ବିଶ୍ୱନାଥ ଧାମରେ ପୁନଃପ୍ରତିଷ୍ଠା କରାଯିବ । ଏହାପୂର୍ବରୁ ୪ ଦିନ ପର୍ଯ୍ୟନ୍ତ ଏହି ମୂର୍ତ୍ତିକୁ ଦର୍ଶନ ନିମନ୍ତେ ୧୮ ଜିଲ୍ଲାରେ ପରିକ୍ରମା କରାଯିବ ।