ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢି ଚାଲିଥିବା ବେଳେ ଆଗକୁ ରାଜ୍ୟର ପଞ୍ଚାୟତ ନିର୍ବାଚନ । ନିର୍ବାଚନ ହେବ ନା ଘୁଞ୍ଚିବ ଏ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ଉପରେ ସାରା ରାଜ୍ୟର ନଜର ରହିଛି । ପଞ୍ଚାୟତ ନିର୍ବାଚନ ନେଇ ଆଜି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ବୈଠକ ସରିବା ପରେ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି କୋଭିଡ ସଂକ୍ରମଣ ଭିତରେ କିଭଳି ପଞ୍ଚାୟତ ନିର୍ବାଚନ ହେବ, କଣ ସବୁ କଟକଣା ରହିବ ସେଥିଲାଗି ଗାଇଡଲାଇନ୍ ପ୍ରସ୍ତୁତ କରୁଛୁ ।
ବୈଠକରେ ବିଜେଡି ସାଂସଦ ଅମର ପଟ୍ଟନାୟକ, କଂଗ୍ରେସର ଗଣେଶ୍ୱର ବେହେରା ଏବଂ ଶିବାନନ୍ଦ ରାୟ , ବିଜେପି ବିଧାୟକ ମୋହନ ମାଝୀ ଏବଂ ପଞ୍ଚାୟତ କମିଟି ଆବାହକ ଶଙ୍କର୍ଷଣ ପରିଡାଙ୍କ ସହ ୪ ଜଣିଆ ଟିମ ଏବଂ ସିପିଆଇ, ସିପି ଏମର ସମେତ ଅନ୍ୟାନ୍ୟ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗ ଦେଇଥିଲେ । କୋଭିଡ୍ ସଂକ୍ରମଣ ଭିତରେ କିପରି ନିର୍ବାଚନ ହେବ । ନିର୍ବାଚନ ନେଇ କ’ଣ ଗାଇଡଲାଇନ୍ ରହିବ, ସେନେଇ ବୈଠକରେ ସମସ୍ତ ରାଜନୈତିକ ଦଳ ସେମାନଙ୍କ ମତାମତ ରଖିଛନ୍ତି । ଏହାପରେ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ରାଜ୍ୟ ନିର୍ବାଚନ କମିଶନ ଭେଟିବାର କାର୍ଯ୍ୟକ୍ରମ ରହିଛି ।
ଅନ୍ୟପଟେ ପଞ୍ଚାୟତ ନିର୍ବାଚନ ୩ ମାସ ସ୍ଥଗିତ ରଖିବାକୁ ଦାବି କରିଛନ୍ତି ବିରୋଧୀ ଦଳ ବିଜେପି ଓ କଂଗ୍ରେସ । କୋଭିଡ ସଂକ୍ରମଣ ବଢ଼ୁଥିବାରୁ ନିର୍ବାଚନକୁ ଘୁଞ୍ଚାଯାଉ ବୋଲି ବିରୋଧୀ କହିଛନ୍ତି । ଏହା ସହିତ ପଛୁଆ ବର୍ଗ ଓ ଏସ୍ଟି ବର୍ଗଙ୍କୁ ସଂରକ୍ଷଣ ପ୍ରସଙ୍ଗରେ ମଧ୍ୟ ସେମାନେ ନିର୍ବାଚନ ସ୍ଥଗିତ ରଖିବାକୁ ଦାବି କରିଛନ୍ତି।