ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗାଯିବା ଘଟଣାର ପର୍ଦାଫାଶ କରିଛନ୍ତି ପୁରୀ ଏସ୍ପି | ଏସପି କନୱାର ବିଶାଲ ସିଂ ଆୟୋଜିତ ପ୍ରେସମିଟରେ ଚୁଲିଭଙ୍ଗା ଘଟଣାକୁ ନେଇ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ସୂଚନା । ସିସିଟିଭ ଆଧାରରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି | ତାଙ୍କ ନାମ ଜେ. ମହାପାତ୍ର | ବୟସ ମାତ୍ର ୩୦ ବର୍ଷ । ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ଥାନା ଅଞ୍ଚଳରେ ବୋଲି ଜଣାପଡିଛି । ପୋଲିସ ପଚରା ଉଚରା ପରେ ଅଭିଯୁକ୍ତ ଜଣକ ନିଜର ଦୋଷ ସ୍ୱୀକାର କରିଛନ୍ତି | ଶ୍ରୀମନ୍ଦିର ରୋଷଘରେ ପଶି ଚୁଲି ଭାଙ୍ଗିଥିବା ସ୍ୱୀକାର କରିଛି ଅଭିଯୁକ୍ତ | ନିଜକୁ ଭଲ ନଲାଗିବାରୁ ରୋଷଘରେ ଚୁଲି ଭାଙ୍ଗିଥିବା ଅଭିଯୁକ୍ତ ପୋଲିସ ଆଗରେ କହିଛି |
ପୁରୀ ଏସପିଙ୍କ ସୂଚନା ଅନୁଯାୟୀ, ଜେ ମହାପାତ୍ର ସେଦିନ ଶ୍ରୀମନ୍ଦିରରେ ପଶି ମହାପ୍ରଭୁଙ୍କ ଦର୍ଶନ କରିଥିଲା । ଏହାପରେ ହଠାତ୍ ତା’ର ମାନସିକ ସ୍ଥିତି ଖରାପ ହୋଇଥିଲା । ଫଳରେ ରୋଷଘରେ ପଶି ସମସ୍ତ ଚୁଲା ଭାଙ୍ଗିଦେଇଥିଲା । ଗିରଫ ହେବା ପରେ ସେ ନିଜକୁ ଜଣେ ଜଗନ୍ନାଥଙ୍କ ଭକ୍ତ ବୋଲି ପୋଲିସକୁ ସୂଚନା ଦେଇଛି । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ । ଅନ୍ୟପଟେ ପୁରୀ ପୋଲିସ ଅଭିଯୁକ୍ତକୁ ପଚାରଉଚରା କରୁଥିବା ବେଳେ କିଛି ତଥ୍ୟ ବର୍ତ୍ତମାନ ଗୋପନୀୟ ରଖାଯାଇଛି | ଯାହାକି ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବ ବୋଲି ପୁରୀ ଏସପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।