ବିମାନରେ ଯାତ୍ରା କରିବାକୁ କାହାର ଇଚ୍ଛା ନ ଥାଏ । ହେଲେ ସମସ୍ତଙ୍କ ପାଖେ ଏହା ସମ୍ଭବ ହୋଇ ନ ଥାଏ । ବିଶେଷକରି ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁ ବିମାନ ଯାତ୍ରା ଯେମିତି ଏକ ସ୍ୱପ୍ନରେ ପରିଣତ ହୋଇଥାଏ । କିନ୍ତୁ ଏବେ ଆପଣମାନଙ୍କ ପାଇଁ ଏକ ଖୁସି ଖବର ଆଣି ଦେଇଛି ଏୟାରଲାଇନ୍ କମ୍ପାନୀ ସ୍ପାଇସ୍ ଜେଟ୍ । ସୋମବାର କମ୍ପାନୀ ପକ୍ଷରୁ ଏକ ଧମାକାଦାର ଅଫର୍ ‘ବୁକ୍ ନାଁଓ ପେ ଲ୍ୟାଟର୍’ ବା ଆଗ ବୁକ୍ କର ପରେ ପଇସା ଦେବ ଘୋଷଣା କରାଯାଇଛି । ଏହି ସ୍କିମ୍ ଅନୁସାରେ ଆପଣ ଆରାମରେ ବିମାନରେ ଯାତ୍ରା କରିପାରିବେ । ବିମାନ ଟିକେଟ୍ ଆପଣ କିସ୍ତି ହିସାବରେ ବା ଇଏମ୍ଆଇ ମାଧ୍ୟମରେ କିଣିପାରିବେ । ଏହି ସ୍କିମ୍ ଅନୁସାରେ ଆପଣ ୩, ୬ କିମ୍ବା ୯ ମାସ ମଧ୍ୟରେ ପଇସା ସୁଝି ପାରିବେ । ଏହି ଅଫରରରେ ପ୍ରଥମ ୩ ମାସ ଆପଣଙ୍କଠାରୁ କୌଣସି ସୁଧ ନିଆଯିବ ନାହିଁ । ୟୁପିଆଇ ମାଧ୍ୟମରେ ଆପଣ କିସ୍ତି ଟଙ୍କା ଭରି ପାରିବେ । ଏଥିପାଇଁ ଆପଣଙ୍କୁ କୌଣସି କ୍ରେଡିଟ୍ କାର୍ଡ ବା ଡେବିଟ୍ କାର୍ଡର ଆବଶ୍ୟକତା ନାହିଁ । ତେବେ ଟିକେଟ୍ ବୁକିଂ ବେଳେ ଆଧାର ପରିଚୟ ପତ୍ର, ପାନ୍କାର୍ଡ ଭଳି ପ୍ରମାଣ ଦରକାର ହୋଇଥାଏ । ଏହି ସ୍କିମ୍ ଜରିଆରେ ଅନେକ ଲୋକଙ୍କ ସ୍ୱପ୍ନ ପୂରଣ ହୋଇପାରିବ । ଯେଉଁମାନେ ବିମାନରେ ଯାତ୍ରା କରିବାକୁ ତ ଚାହୁଁଛନ୍ତି ହେଲେ ଟିକେଟ୍ କିଣିବା ପାଇଁ ଏତେ ଟଙ୍କା ଏକକାଳୀନ ତାଙ୍କ ପାଖରେ ନ ଥାଏ ସେମାନେ ଏହି ଅଫରର ଫାଇଦା ଉଠାଇପାରିବେ ।