ସମ୍ପତ୍ତି ଆଗରେ ତୁଚ୍ଛ ହେଲା ସମ୍ପର୍କ | ବାପା -ପୁଅ ସମ୍ପର୍କରେ ଲାଗିଲା କଳଙ୍କ | ଗୁପ୍ତ ଧନ ପାଇଁ ୭୦ ବର୍ଷର ବୃଦ୍ଧ ବାପାଙ୍କୁ ପୁଅର ବଳି ଉଦ୍ୟମ | ଏଭଳି ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ବେଲପଡ଼ା ଅଂଚଳରେ | ବାପାକୁ ବଳି ଦେବାକୁ ଉଦ୍ୟମ କରୁଥିବା ପୁଅ ଓ ତନ୍ତ୍ର ସାଧକଙ୍କୁ ଗିରଫ କରିଛି ପୋଲିସ ।
ସମ୍ପତ୍ତି ପାଇବା ଆଶାରେ ବେଲପଡ଼ା ଗାଁର ଲିଙ୍ଗରାଜ ଭୋଇ ନିଜ ବାପା ବଳଦେବ ଭୋଇଙ୍କୁ ବଳି ଦେବାକୁ ଉଦ୍ୟମ କରିଥିଲା | ବଳି ଉଦ୍ଦେଶ୍ୟରେ ବାପା ବଳଦେବଙ୍କୁ ଗାଧୋଇ ଦେବା ସହ ନୂଆ ଲୁଗା ଓ ଫୁଲମାଳ ପିନ୍ଧାଇ ଏକ ନୂଆ ଘରକୁ ନେଇଥିଲା । ସେଠାରେ ଅସ୍ତ୍ରଶସ୍ତ୍ର ସୁସଜ୍ଜିତ ଭାବେ ରଖାଯାଇଥିବା ବେଳେ ସେଠାରେ ଜଣେ ତନ୍ତ୍ର ସାଧକ ପୂଜାର୍ଚ୍ଚନା କରୁଥିଲେ | ଏ ସମ୍ପର୍କରେ ଖବରପାଇ ଗ୍ରାମବାସୀ ସେଠାରେ ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ | ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ । ଏହି ଘଟଣାରେ ଜୟପାଟଣା ଥାନା ପୋଲିସ ପୁଅ ଲିଙ୍ଗରାଜ, ପୂଜକକୁ ଗିରଫ କରିଛିି ପୋଲିସ ।