ଘରର ବାସ୍ତୁ ସମସ୍ୟାର ସମାଧାନ ପାଇଁ ପୂଜାର୍ଚ୍ଚନା କରିବା ନାଁରେ ଜଣେ ମୁସଲିମ ସମ୍ପ୍ରଦାୟର ଯୁବକ ଜନୈକ ହିନ୍ଦୁ ଯୁବତୀଙ୍କୁ ଅପହରଣ କରି ନେବା ସହ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଏପରିକି ଯୁବକ ଜଣକ ଜନୈକ ଯୁବତୀଙ୍କ ଧର୍ମ ପରିବର୍ତନ ପାଇଁ ପ୍ରୟାସ କରିଥିବା ଜଣାଯାଇଛି । ଏହି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅଂଚଳରେ । ସୁକିନ୍ଦା ପୋଲିସ ଅଭିଯୁକ୍ତ ବୌଦିନ ଖାଁଙ୍କୁ ବାଲେଶ୍ଵରରୁ ଗିରଫ କରିବା ସହ ଅପହରଣ କରି ରଖିଥିବା ଯୁବତୀ ଜଣଙ୍କୁ ଉଦ୍ଧାର କରିଛି । ସୁକିନ୍ଦା ଥାନା ଅଧିନସ୍ଥ ଏକ ଗ୍ରାମର ଜୈନିକ ବ୍ୟକ୍ତିଙ୍କ ଘରେ କିଛି ସମସ୍ୟା ଲାଗି ରହିଥିଲା । ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ବରୁଣ୍ଡାଇ ଅଞ୍ଚଳର ବୌଦିନ ଖାଁ ନିଜକୁ ଜଣେ ହିନ୍ଦୁ ତାନ୍ତ୍ରିକ ପରିଚୟ ଦେଇ ତାଙ୍କ ଘର ବାସ୍ତୁ ଦୋଷ ଦୂର କରିବା ପାଇଁ କିଛି ପୂଜାପାଠ କରିବାକୁ କହିଥିଲେ । ଘରେ ପୂଜାପାଠ କରିବାକୁ ଜନୈକ ବ୍ୟକ୍ତି ଜଣକ ରାଜି ହୋଇଯାଇଥିଲେ । ବୌଦିନ ଖାଁ ତାଙ୍କ ଘରେ ରହି ପୂଜାପାଠ କରିବା ନାଁରେ ଉକ୍ତ ବ୍ୟକ୍ତିଙ୍କ ଝିଅକୁ ମିଛ ପ୍ରେମରେ ଫସେଇ ନେଇ ଫେରାର ହୋଇଯାଇଥିଲେ । ଯୁବକ ଜଣଙ୍କ ଅନ୍ୟ ଧର୍ମର ବୋଲି ଯୁବତୀ ଜାଣିବା ପରେ ବୌଦିନ ଖାଁଙ୍କୁ ବିରୋଧ କରିବାରୁ ସେ ବାଲେଶ୍ଵରର ଏକ ଘର ମଧ୍ୟରେ ଯୁବତୀଙ୍କୁ ବନ୍ଧକ କରି ରଖିଥିଲେ । ଏହି ସମୟରେ ଯୁବତୀଙ୍କୁ ବଳାତ୍କାର କରିବା ସହ ତାଙ୍କୁ ମାରପିଟ ମଧ୍ୟ କରିଥିଲେ । ଯୁବତୀ ଜଣକ ଶୁକ୍ରବାର ଦିନ ଏକ ମୋବାଇଲ ନମ୍ବର ଯୋଗେ ନିଜ ପରିବାର ସଦସ୍ୟଙ୍କୁ ଫୋନ କରି କାନ୍ଦି କାନ୍ଦି ସବୁ କଥା କହିଥିଲେ । ପରେ ଯୁବତୀଙ୍କ ପରିବାର ଲୋକେ ସୁକିନ୍ଦା ଥାନାର ଦ୍ୱାରସ୍ଥ ହୋଇ ଏକ ଲିଖିତ ଅଭିଯୋଗ କରିଥିଲେ । ସୁକିନ୍ଦା ଥାନାର ଭାରପ୍ରାପ୍ତ ଅଧିକାରୀ ଶିବଚରଣ ବେହେରା ଲିଖିତ ଅଭିଯୋଗକୁ ଭିତ୍ତିକରି ମାମଲା ରୁଜୁ କରିଥିଲେ । ଯୁବତୀ ଜଣକ କଲ କରିଥିବା ମୋବାଇଲ ନମ୍ବରକୁ ଟ୍ରାକ କରି ଏକ ସ୍ୱତନ୍ତ୍ର ଟିମ ଶନିବାର ସକାଳ 6 ଟାରେ ବାଲେଶ୍ଵରରେ ରହୁଥିବା ବୌଦିନ ଖାଁଙ୍କ ଘର ଉଆଁରେ ଚଢ଼ାଉ କରି ତାଙ୍କୁ ଗିରଫ କରିବା ସହିତ ଜୈନିକ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି । ପୋଲିସ ଏ ନେଇ ଅଭିଯୁକ୍ତ ବୌଦିନ ଖାଁ ନାମରେ କେଶ ନଂ 263/21ରେ ମାମଲା ରୁଜୁ କରି ରବିବାର ଅପରାହ୍ନରେ ଅଭିଯୁକ୍ତଙ୍କୁ ବିଚାରଧୀନ ଅଦାଲତକୁ ପଠେଇ ଦେଇଛି । ସୁକିନ୍ଦା ପୋଲିସକୁ ଯାଜପୁର ଜିଲ୍ଲା ବଜରଙ୍ଗ ଦଳ ତରଫରୁ ପ୍ରଶଂସା କରାଯାଇଛି ।