ଭକ୍ତଙ୍କ ଗହଣରେ ହେବ ସ୍ନାନଯାତ୍ରା
ଦୀର୍ଘ ଦୁଇ ବର୍ଷ ପରେ ଚଳିତ ବର୍ଷ ଭକ୍ତଙ୍କ ଗହଣରେ ହେବ ମହାପ୍ରଭୁଙ୍କ ସ୍ନାନ ଯାତ୍ରା । ଚଳିତଥର ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ସାମିଲ ହୋଇପାରିବେ ଭକ୍ତ । ଏନେଇ ଦଇତାପତି ନିଯୋଗ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର ସୂଚନା ଦେଇଛନ୍ତି ।
ଶ୍ରୀଜିଉଙ୍କ ହାତୀ ବେଶ ପୂର୍ବରୁ ସ୍ନାନ ମଣ୍ଡପ ତଳେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ । ଏହାସହ ମହାପ୍ରଭୁଙ୍କ ବେଶ ପରେ ୨ ଘଣ୍ଟା ମଣ୍ଡପରେ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କୁ ଅନୁମତି ଦେଇଛି ଶ୍ରାମନ୍ଦିର ପ୍ରଶାସନ । ତେବେ ଦର୍ଶନ ସମୟରେ ଶ୍ରୀଜୀଉଙ୍କୁ ସ୍ପର୍ଶ କରିବାକୁ ବାରଣ କରାଯାଇଛି ।
ଶ୍ରୀକ୍ଷେତ୍ର ଭଉଁରୀ, ସ୍ନାନପୂର୍ଣ୍ଣମୀ ଓ ରଥଯାତ୍ରା ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ବସିଥିଲା । ବିଭିନ୍ନ ନିଯୋଗ ସହ ପୃଥକ ପୃଥକ ଭାବେ ଆଲୋଚନା କରିଥିଲେ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଓ ଜିଲ୍ଲାପାଳ ସମର୍ଥ ବର୍ମା । ମହାପ୍ରଭୁଙ୍କ ନୀତିକାନ୍ତିକୁ କିଭଳି ଶୃଙ୍ଖଳିତ ଭାବେ ସମ୍ପାଦନ କରାଯିବ ସେନେଇ ଏହି ବୈଠକରେ ଆଲୋଚନା ହୋଇଥିଲା ।
ସୂଚନା ଥାଉକି , କରୋନା କଟକଣା କାରଣରୁ ଗତ ୨ ବର୍ଷ ହେବ ବିନା ଭକ୍ତରେ ସ୍ନାନଯାତ୍ରା ହେଉଥିଲା । ରୀତିନୀତି ଅନୁଯାୟୀ ସ୍ନାନଯାତ୍ରା ହେଉଥିଲେ ମଧ୍ୟ ଭକ୍ତଙ୍କ ବିନା ବଡଦାଣ୍ଡ ଖାଁ ଖାଁ ଦିଶୁଥିଲା । କିନ୍ତୁ ଏଥର ସ୍ନାନମଣ୍ଡପରେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବା ଭଳି ଏକ ନିଷ୍ପତ୍ତି ଭକ୍ତ ମହଲରେ ଖୁସି ଆଣି ଦେଇଛି ।
#SnanaPurnima #jagannath #JagannathDhamPuri