ସାପକୁ ଦେଖିଲେ କାହାକୁ ବା ଡର ନ ଲାଗେ ! ସାପକୁ ଦେଖିଲେ ଛୁଆ ଠୁ ବଡ ପର୍ଯ୍ୟନ୍ତ ସମସ୍ତେ ଛାନିଆ | ଯିଏ ଯେତେ ଶକ୍ତିଶାଳୀ ଲୋକଟେ ହୋଇଥାଉ ନା କାହିଁ ସାପ ଆଗରେ ସମସ୍ତେ ନାଚାର | କଥାରେ ଅଛି ଛୋଟ ସାପର ବିଷ ବେଶୀ | ତେଣୁ ଛୋଟ ହେଉ କି ବଡ ସାପ, ତାକୁ ଦେଖିଲା ମାତ୍ରେ ଭୟଭୀତ ହୋଇପଡନ୍ତି ଲୋକେ | ଯଦି କାହା ଘରେ ସାପ ପଶେ ତେବେ ଖୋଜା ପଡନ୍ତି ସ୍ନେହଲତା ଦିଦି | ତେବେ ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ ସ୍ନେହଲତା ଦିଦି କିଏ ? ସାପକୁ ଧରିବା ପାଇଁ କାହିଁକି ଜଣେ ମହିଳାଙ୍କୁ ଖୋଜା ପଡେ ? ସ୍ନେହଲତା ଦିଦି ହେଲେ ଜଣେ ଶିକ୍ଷୟିତ୍ରୀ | ସେ ପେସାରେ ଜଣେ ଶିକ୍ଷୟିତ୍ରୀ କିନ୍ତୁ ତାଙ୍କର ନିଶା ହେଲା ନିରୀହ ଜୀବଜନ୍ତୁ ଏବଂ ସାପ ମାନଙ୍କୁ ଉଦ୍ଧାର କରିବା | ସେ ଗତ ୧୦ ବର୍ଷ ଧରି ସାପ ଉଦ୍ଧାର କାର୍ଯ୍ୟ କରି ଆସୁଛନ୍ତି l ସ୍ନେହଲତା ଅତି କୌଶଳର ସହ ସାପକୁ ଧରି ଜଙ୍ଗଲରେ ଛାଡି ଥାନ୍ତି | ତେବେ ତାଙ୍କ ଭାଇ ତଥା ଗୁରୁ ଦେବଜୀତ ରାଉତରାଏଙ୍କ ଠାରୁ ସେ ଏହି ସାପ ଉଦ୍ଧାର କାମ ଶିଖିଥିବା କହିଛନ୍ତି ସ୍ନେହଲତା। ତାଙ୍କର ସମାଜସେବା ଓ ପରୋପକାର କାର୍ଯ୍ୟ ପାଇଁ ମହିଳା ଦିବସ ଅବସରରେ ସ୍ନେହଲତା ସରେନଙ୍କୁ କରାଯାଇଛି ସମ୍ମାନିତ l
ସମାଜ ପାଇଁ ସର୍ବଦା ପ୍ରେରଣାର ଉତ୍ସ ଭାବେ ପରିଚିତ ଶିକ୍ଷୟିତ୍ରୀ ସ୍ନେହଲତା ସରେନ। ସ୍ନେହଲତାଙ୍କ ଜନ୍ମ ମୟୁରଭଞ୍ଜ ଜିଲ୍ଲାରେ | କିନ୍ତୁ ତାଙ୍କର କର୍ମ ଭୂମି ମାଲକାନଗିରି | ମାଲକାନଗିରି ଜିଲ୍ଲାରେ ଜିଲ୍ଲା ମଙ୍ଗଳ ଅଧିକାର ବିଭାଗରେ ଏସଏସଡି ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ସ୍ନେହଲତା । ସେ ଅନ୍ୟର ଦୁଃଖରେ ଦୁଃଖି ଏବଂ ଅନ୍ୟର ଖୁସିରେ ଖୁସି ହୋଇଥାନ୍ତି। ସେ ତାଙ୍କର ପାରୁ ପର୍ଯ୍ୟନ୍ତ ନିଜ ସମର୍ଥ ଅନୁଯାୟୀ ସମସ୍ତଙ୍କୁ ସହଯୋଗର ହାତ ବଢାଇଥାନ୍ତି l ତାଙ୍କର ଏହି ସମାଜସେବା କେବଳ ମଣିଷଙ୍କ ଭିତରେ ସୀମିତ ନାହିଁ | ବରଂ ନିରୀହ ଜୀବଜନ୍ତୁ ଏବଂ ସାପମାନଙ୍କୁ ମଧ୍ୟ ଉଦ୍ଧାର କରି ଜଙ୍ଗଲରେ ଛାଡିଥାନ୍ତି। ସ୍ଥାନୀୟ ଅଞ୍ଚଳର ଯାହା ଘରେ ସାପ ଦେଖାଗଲେ ଦିଦିଙ୍କୁ କରାଯାଏ ସମ୍ପର୍କ | ସ୍ନେହଲତାଙ୍କର ଯେତେ କାମ ଥିଲେ ମଧ୍ୟ ସେ ପରିବାର ଓ ସାପକୁ ରକ୍ଷା କରିଵା ପାଇଁ ତତ୍ପର ରୁହନ୍ତି l ତାଙ୍କର ଏହି ଦୁଃସାହସିକ କାର୍ଯ୍ୟ ଲୋକଲୋଚନକୁ ଆସିବା ପରେ ସମାଜସେବୀ ବିନାଶ କୁମାର ମିଶ୍ର ଓ ରତ୍ନlକର ଦାସ ଚଳିତ ବର୍ଷ ମହିଳା ଦିବସରେ ସ୍ନେହଲତାଙ୍କୁ ସମ୍ମାନିତ କରିବାକୁ ପ୍ରସ୍ତାବ ଦେଇଥିଲେ l ଏହା ପରେ ପ୍ରମେୟ ଖବରକାଗଜ ତରଫରୁ ଭୁବନେଶ୍ୱରଠାରେ ଆୟୋଜିତ ହୋଇଥିବା ମହିଳା ଦିବସ କାର୍ଯ୍ୟକ୍ରମରେ ସ୍ନେହଲତା ସରେନଙ୍କୁ କରାଯାଇଥିଲା ସମ୍ମାନିତ l ଏହି ସମ୍ମାନ ପାଇଥିବାରୁ ସ୍ନେହଲତା ତାଙ୍କର ସହଯୋଗୀ ଓ ମାଲକାନଗିରିବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।