କେନ୍ଦ୍ରାପଡା ପୋଲିସକୁ ମିଳିଛି ଏକ ବଡ ସଫଳତା | ଏକ ଡକାୟତି ଗ୍ୟାଙ୍ଗର ୯ଜଣଙ୍କୁ ଗିରଫ କରିଛି ପୋଲିସ | ତେବେ ଚୋରି ଜିନିଷ କିଣିଥିବା ଅଭିଯୋଗରେ ପୋଲିସ ୭ ଜଣଙ୍କୁ ଗିରଫ କରିଛି | ଅଭିଯୁକ୍ତ ୧୬ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି | ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ରାପଡା ଏସ୍ ପି ମଡକର ସନ୍ଦିପ ସମ୍ପଦ । ଗତ ୧୦ ତାରିଖରେ ତନ୍ତିଆପାଳ ସାମୁଦ୍ରିକ ଥାନା କାକଟପୁର ଗାଁର କାର୍ତ୍ତିକ ସ୍ୱାଇଁଙ୍କ ଘରେ ଡକାୟତି ହୋଇଥିଲା | ଗ୍ୟାଙ୍ଗର ୬ ଜଣ କାର୍ତ୍ତିକ ସ୍ୱାଇଁ ଓ ତାଙ୍କ ଭାଇ ସୁବାଷ ସ୍ୱାଇଁଙ୍କୁ ଭୁଜାଲିରେ ହାଣିବା ସହ ଅନ୍ୟମାନଙ୍କୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କାର ସୁନାରୂପା ଗହଣା ଓ ୧ ଲକ୍ଷ ୬୦ ହଜାର ଟଙ୍କା ଲୁଟି ନେଇଥିଲେ । ଡକାୟତି ପରେ ଫେରାର ହୋଇଯାଉଥିବା ସମୟରେ ସ୍ଥାନୀୟ ଲୋକେ ଦୁଇଜଣ ଡକାୟତଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ । ଏହି ଦୁଇ ଜଣଙ୍କୁ ପୋଲିସ ପଚରାଉଚରା କରି ଏହି ଗ୍ୟାଙ୍ଗର ଆଉ ୭ ଜଣଙ୍କୁ ଗିରଫ କରିଛି । ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ହେଉଛି ଜଗତସିଂହପୁର ଜିଲା ତିର୍ତୋଲ ଥାନା ବାଲିପାଟଣା ଗାଁର ଲିପୁ ଓରଫ ସୁଶାନ୍ତ ସାହୁ । ଲିପୁ ନାମରେ ଓଡିଶାର ବିଭିନ୍ନ ଜିଲ୍ଲାରେ ୫୨ଟି ମାମଲା ରହିଥିବା ପୋଲିସ କହିଛି ।