କୋଠା ଭିତରେ ହଜି ଗଲାଣି ପ୍ରାଚୀନ ଐତିହ୍ୟ। ହଡ଼ପ ହୋଇଗଲାଣି ଓଡ଼ିଶାର ପୁରାତନ ରାଜଧାନୀ ଶିଶୁପାଳଗଡ଼। ଜବରଦଖଲ ଜମି ଉପରେ ଗଢ଼ା ଯାଇଥିବା ସହରୀ କଲୋନୀ ଦ୍ଵାରା ପୋତି ହୋଇଯାଉଛି କି ପ୍ରାଚୀନ ଐତିହ୍ୟ???

ଭୁବନେଶ୍ୱର ସହରର ଅତି ନିକଟରେ ଥିବା ଲିଙ୍ଗିପୁର ପଂଚାୟତ ଅଧୀନରେ ରହିଛି ଓଡ଼ିଶାର ଏହି ପ୍ରାଚୀନ ଐତିହ୍ୟ ଶିଶୁପାଳଗଡ଼। କିନ୍ତୁ ଏବେ ଜବରଦଖଲ ଯୋଗୁ ଏହା ଏକ ଏକରରୁ କମ୍ ଜମିରେ ସଙ୍କୁଚିତ। ୧୯୫୦ ଗେଜେଟ୍ ନୋଟିଫିକେସନ୍ ଅନୁଯାୟୀ ମୋଟ୍ ୫୬୨.୬୮୧ ଏକରର ଶିଶୁପାଳଗଡ଼ ଐତିହ୍ୟ ସ୍ଥଳୀ ଏବେ ମାତ୍ର ୭୭୫ ଡିସିମିଲ ମଧ୍ୟରେ ସୀମିତ ହୋଇଗଲାଣି।
https://youtu.be/Wy7UwOzYwzk
ଗଡ଼ର ଇତିହାସ ଓ ବର୍ତ୍ତମାନର ଭୌଗୋଳିକ ସ୍ଥିତି ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବ। ମାଙ୍କଡ଼ା ପଥରର କେତେକ ଅର୍ଦ୍ଧ ଭଗ୍ନ ସ୍ତମ୍ଭକୁ ଛାଡ଼ି ଦେଲେ ଗଡ଼ର ପ୍ରମାଣ ସବୁ ଅନାବନା ଘାସ ଓ ଜଙ୍ଗଲୀ ଗୁଳ୍ମ ମଧ୍ୟରେ ଲୁଚି ଯାଇଛି । ଏପରିକି ଏହା ଯେ କଳିଂଗର ସେହି ପୁରୁଣା ରାଜଧାନୀ ତାହା ଜାଣିବା ମଧ୍ୟ କଷ୍ଟକର। କାରଣ ଏଠାରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଲାଗିଥିବା ଫଳକଟିକୁ ମଧ୍ୟ କେହି ଦୁର୍ବୃତ୍ତ ଭାଙ୍ଗି ସାରିଲାଣି। ଏହାର ଚାରିପଟ ଜମିକୁ ବହୁ ଲୋକ ବେଆଇନ ଭାବେ କିଣାବିକା କରି ଘର କରିସାରିଲେଣି। ସବୁ ଦେଖି ମଧ୍ୟ ଚୁପ୍ ହୋଇ ବସିଛନ୍ତି ରାଜ୍ୟ ସରକାର। ଜମି କିଣାବିକା, ପଟ୍ଟା ପାଉତି ଓ ଘର ନକ୍ସା ଆଦି ମଞ୍ଜୁର ପଛରେ ରହିଛି ରାଜ୍ୟ ପ୍ରଶାସନର ସଂପୃକ୍ତି। ବିଦ୍ୟୁତ ଓ ପାଣି ମଧ୍ୟ ଯୋଗାଉଛନ୍ତି ରାଜ୍ୟ ସରକାର। ତେବେ ଜବରଦଖଲ ବିରୋଧରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଦାଏର କରାଯାଇଥିବା ମାମଲାର ବିଚାର କରି ଜବରଦଖଲ ଉଚ୍ଛେଦ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ଏଠାରେ ଏତେ ମାତ୍ରାରେ ଘର ତୋଳା ସରିଛି ଯେ, ଯାହାକୁ ସରକାରଙ୍କ ପାଇଁ ଭାଙ୍ଗିବା ବି ବର୍ତ୍ତମାନ ପକ୍ଷେ ସହଜ ନୁହେଁ । ଯେତେହୁ ଏହା ଉତ୍କଳର ଐତିହ୍ୟ ତେଣୁ କେନ୍ଦ୍ରୀୟ ସଂସ୍ଥା ଅପେକ୍ଷା ଏହାର ସୁରକ୍ଷା ପାଇଁ ରାଜ୍ୟ ସରକାର ନିଜେ ଅଧିକ ତତ୍ପର ହେବାର ଆବଶ୍ୟକ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରତିରାଜ୍ୟ ନିଜର ଐତିହ୍ୟ ଆଇନ୍ ପ୍ରସ୍ତୁତ କରିପାରିବେ । ଆସାମ ସରକାର ଐତିହ୍ୟ ଆଇନ୍ କରିଥିବା ବେଳେ ଓଡ଼ିଶା ସରକାର କାହିଁକି କରୁ ନାହାଁନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ?

ଯେତେବେଳ ସହରୀ ସଭ୍ୟତା କଥା କେହି ଭାବି ନଥିଲେ ସେତେବେଳେ ଗଢ଼ି ଉଠିଥିଲା ଏହି ନଗର । ବର୍ତ୍ତମାନର ଗଙ୍ଗୁଆ ନାଳରେ ପରିଣତ ପୁରାତନ ଗନ୍ଧବତୀ ନଦୀ କୂଳରେ ଗଢ଼ି ଉଠିଥିବା ଏହି ଚତୁର୍ଭୂଜାକାର ସହରର ୮ଟି ଦ୍ୱାର ଦେଶ ଥିଲା। ଗ୍ରୀକ ସଭ୍ୟତାଠାରୁ ମଧ୍ୟ ଏହି ନଗର ଉନ୍ନତମାନର ଥିବା ଐତିହାସିକମାନେ ଗବେଷଣା କରି କହିଛନ୍ତି । ଇତିହାସରେ ବର୍ଣ୍ଣିତ ଏହି ଉନ୍ନତ ଜ୍ଞାନକୌଶଳର ସହର ପ୍ରଥମେ କଳିଙ୍ଗ ନଗର ନାମରେ ପରିଚିତ ଥିଲା। ସମ୍ରାଟ ଅଶୋକଙ୍କ ସମୟରେ ତୋଷାଳୀ ନଗର ହେଲା। କିନ୍ତୁ ସମୟ କ୍ରମେ ଶିଶୁପାଳ ରାଜାଙ୍କ ନାମରେ ଏହା ଶିଶୁପାଳଗଡ଼ ଭାବେ ନାମିତ ହେଲା। ୧୯୫୦ ନଭେମ୍ବର ୧୩ରେ ତତ୍କାଳୀନ ଏଏସଆଇ ମୁଖ୍ୟ ବିବି ଲାଲଙ୍କ ଉଦ୍ୟମରେ ଏହାକୁ ପୁରାତନ ଐତିହ୍ୟର ମାନ୍ୟତା ମିଳିଥିଲା। କୌଣସି କାରଣବସତଃ ଖନନ କାର୍ଯ୍ୟ ଦୀର୍ଘ ଦିନଧରି ବନ୍ଦ ରହିଥିବା ବେଳେ ୨୦୦୫ରେ ଏହାର ପୁନଃ ଖନନ କରାଯାଇ କଳିଙ୍ଗର ଏହି ପୁରୁଣା ସହରର ନକ୍ସା ଲୋକଲୋଚନକୁ ଆସିଥିଲା। ତେବେ ଆଜିବି ଗାଁ ଲୋକ ଶିଶୁପାଳ ଗଡ଼ର ଅସ୍ତିତ୍ୱ ଓ ଗୁରୁତ୍ୱ ବିଷୟରେ କିଛି ଜାଣିନାହାନ୍ତି। ଶିଶୁପାଳ ରାଜାଙ୍କ ସମ୍ପତ୍ତି କେତେ? କେଉଁ ଅଂଚଳ ଗଡ଼ର ପରିଧି ମଧ୍ୟରେ ଯାଉଛି ଇତ୍ୟାଦି | ଏବେ ଶିଶୁପାଳଗଡ଼ର ସୁରକ୍ଷା ଓ ଐତିହ୍ୟ ରକ୍ଷା ସଂପୂର୍ଣ୍ଣ ଉପରେ ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରୁଛି । ତେବେ ଦେଖିବାକୁ ବାକି ରହିଲା ଶିଶୁପାଳଗଡକୁ କେବେ ମିଳୁଛି ଐତିହ୍ୟର ପରିଚୟ,!!!