‘ପୁଷ୍ପା ଦ ରୁଲ୍’ ଚଳଚ୍ଚିତ୍ରର ସୁଟିଂ ପାଇଁ ମାଲକାନଗିରି ଜିଲ୍ଲାରେ ଜୋରସୋରରେ ଚାଲିଛି ପ୍ରସ୍ତୁତି । ରାଜ୍ୟ ବାହାରୁ ଆସିଥିବା ଟିମ୍ ଏଠାରେ କ୍ୟାମ୍ପ କରିଛି। ସୂଚନାଯୋଗ୍ୟ କାଲିମେଳା ବ୍ଲକ୍ରେ ପ୍ରବାହିତ ସିଲେରୁ ନଦୀକୂଳରେ ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଜିଠାରୁ ସେଟ୍ ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇଛି। ସେହିପରି, ପାର୍ଶ୍ବ କଳାକାରମାନେ ମଧ୍ୟ ନିଜ ନିଜ ସିନ୍ ଅଭ୍ୟାସ କରୁଛନ୍ତି। ସୁରକ୍ଷା ଦୃଷ୍ଟିରୁ ସେଠାରେ ଦୁଇ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି।
ସୁଟିଂ ପାଇଁ ଗତକାଲି ଟ୍ରକ୍ରେ ନକଲି ଚନ୍ଦନ କାଠ, ନକଲି ଗଛ ଓ ପଥର ଆସିଥିଲା। ଆଜି ସକାଳୁ ଷ୍ଟେଜ୍ ପାଇଁ ଆବଶ୍ୟକ ସାମଗ୍ରୀ କ୍ୟାମେରା, ଟ୍ରାଇପଡ୍, ରିଫ୍ଲେକ୍ଟର, ମାଇକ୍ରୋଫୋନ୍, ମନିଟର, ସାଉଣ୍ଡ ବକ୍ସ ଆଦି ପହଞ୍ଚିଥିଲା। ଜେନେରେଟର, ମେକ୍ଅପ୍ ଭ୍ୟାନ, ଭ୍ୟାନିଟି ଭ୍ୟାନ, ଆମ୍ବୁଲାନ୍ସ ମଧ୍ୟ ପହଞ୍ଚିଛି। ସେହିଭଳି ସୁଟିଂ ପାଇଁ ନଦୀ କୂଳରେ ସେଟ୍ ନିର୍ମାଣ, ପୋଷାକ ତିଆରି ଓ ସହଯୋଗ ପାଇଁ ୨ଶହ ଜଣିଆ ଟିମ୍ ଲୋକେସନ୍ରେ ପହଞ୍ଚିଛନ୍ତି।
ଆଜି ପାର୍ଶ୍ବ କଳାକାରମାନେ ଜଙ୍ଗଲରୁ କାଟିଥିବା ଗଛକୁ ନଦୀ ପାର୍ କରାଇବା ଏବଂ ପୋଲିସ୍ ତାହାକୁ ଜବତ ପାଇଁ ଚେଷ୍ଟା କରିବା ଦୃଶ୍ୟର ଅଭ୍ୟାସ ଚାଲିଛି । ଫିଲ୍ମ ସୁଟିଂର କିଛି ସିନ୍ ରେ ସ୍ଥାନୀୟ ଲୋକଙ୍କୁ ସୁଯୋଗ ମଧ୍ୟ ଦିଆଯାଇଛି । ସୂଚନା ଅନୁଯାୟୀ ନଦୀକୂଳରେ ଏହି ସୁଟିଂ ଏକ ସପ୍ତାହ ଧରି ଚାଲିବା ନେଇ ମୋଟୁ ଥାନା ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଇଛି। ସେହିପରି, ନଦୀର ଅନ୍ୟପଟେ ଆନ୍ଧ୍ରପ୍ରଦେଶ ପୋଲିସ୍ ସୁରକ୍ଷା ଦେଉଥିବା ଦେଖିବାକୁ ମିଳିଛି।