ହନୁମାନ ଚାଳିଶା ବିବାଦକୁ ନେଇ ତେଜିଲା ରାଜନୀତି | ଅମରବତୀର ନିର୍ଦ୍ଦଳୀୟ ସାଂସଦ ନବନୀତ ରାଣା ଏବଂ ତାଙ୍କ ସ୍ୱାମୀ ବିଧାୟକ ରବି ରାଣା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ଆଗରେ ହନୁମାନ ଚାଳିଶା ପାଠ କରିବେ ବୋଲି ଘୋଷଣା କରିଥିଲେ। ତେବେ ଏହି ଘଟଣା ପରେ ପରିସ୍ଥିତି ଉଗ୍ର ରୂପ ନେବାରେ ଲାଗିଛି । ତାତି ଉଠିଛି ଶିବସେନା। ଆଜି ଶିବସେନାର ଶତାଧିକ କର୍ମୀ ଅମରାବତୀ ସାଂସଦ ନବନୀତ ଓ ତାଙ୍କ ବିଧାୟକ ସ୍ୱାମୀ ରବି ରାଣାଙ୍କ ଘର ବାହାରେ ଏକାଠି ହୋଇ ହଙ୍ଗାମା କରିଛନ୍ତି।
ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ଆଗରେ ହନୁମାନ ଚାଳିଶା ପାଠ କରିବାକୁ ସାଂସଦ ନବନୀତ୍ ରାଣା ସକାଳ ୯ଟା ସମୟ ଦେଇଥିଲେ | କିନ୍ତୁ ଏହାପୂର୍ବରୁ ଶିବସେନାର ବହୁ କର୍ମୀ ନବନୀତ୍ ଙ୍କ ଘର ବାହାରେ ପହଞ୍ଚି ବିରୋଧ ପ୍ରଦର୍ଶନ କରିଥିଲେ | ଆଜି ସକାଳୁ ରାଣା ଦମ୍ପତ୍ତିଙ୍କ ଘର ଆଗରେ ଶତାଧିକ ଶିବସେନା କର୍ମୀ ବ୍ୟାରିକେଡ୍ ଭାଙ୍ଗି ଆପାର୍ଟମେଣ୍ଟ ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ । କିନ୍ତୁ ପୋଲିସ ସେମାନଙ୍କୁ ଅଟକାଇବା ସହ ସ୍ଥିତି ନିୟନ୍ତ୍ରଣ କରିଥିଲା । ରାଣା ଦମ୍ପତିଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ତେବେ ପୋଲିସର ନୋଟିସ ଓ ଶିବସେନା କର୍ମୀଙ୍କ ଧମକ ସତ୍ତ୍ୱେ ନବନୀତ ରାଣା ନିଜ ଜିଦରେ ଅଟଳ ରହିଛନ୍ତି। ସେ ଉଦ୍ଧବ ଠାକରେଙ୍କ ବାସଭବନ ଆଗକୁ ଯିବେ ଓ ହନୁମାନ ଚାଳିଶା ପଢ଼ିବେ ବୋଲି କହିଛନ୍ତି ।