ମାଡ଼ି ଆସିଲା କାଳବୈଶାଖୀ। ଆଉ କ୍ଷଣକ ଭିତରେ ରଚିଲା ତାଣ୍ଡବ | ଉଡିଗଲା ଘର ଛପର। ଉପୁଡି ପଡିଲା ବଡ଼ ବଡ଼ ଗଛ | ଅଳ୍ପକେ ବର୍ତ୍ତିଗଲା ଲୋକଙ୍କ ଜୀବନ। ଗତକାଲି ସନ୍ଧ୍ୟା ବେଳେ ଏପରି ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରେ। ଅଚାନକ ଝଡ଼ ତୋଫାନ ଯୋଗୁ ଗ୍ରାମବାସୀଙ୍କ ମନରେ ସୃଷ୍ଟି ହୋଇଥିଲା କୋକୁଆ ଭୟ l
କେନ୍ଦୁଝରଠାରୁ ୨୫ କିଲୋମିଟର ଦୂର ଉଦୟପୁର ଗ୍ରାମରେ ଉଗ୍ର ରୂପ ଦେଖାଇଛି କାଳବୈଶାଖୀ | ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ପରେ ପ୍ରବଳ ବେଗରେ ପବନ ବୋହିବା ସହିତ ବର୍ଷା ହୋଇଥିଲା। ଗ୍ରାମର ବହୁ ଲୋକଙ୍କ ଚାଳ ଛପର ଓ ଆଜବେଷ୍ଟସ ଉଡାଇ ନେଇଛି | କେତେକ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗି ଘର ଉପରେ ପଡି ଯାଇଛି | ପ୍ରାୟ ୨୫ ରୁ ଉର୍ଦ୍ଧ ଘରର ଛପର ଉଡିଯାଇଅଛି l ବିଜୁଳି ଖୁଣ୍ଡ ଗୁଡ଼ିକ ଭାଙ୍ଗି ରାସ୍ତାରେ ପଡ଼ିଥିଲା। ପ୍ରଣୟ କୁମାର ପରିଡା, ନାରାୟଣ ପରିଡା, ସନ୍ତୋଷ ସାହୁ, ଶମ୍ଭୁ ସାହୁ, ଗହମି ପାତ୍ର, ଜେମା ପାତ୍ର, ଅନନ୍ତ କାରୁଆ, ଅଜୟ ପରିଡା ଓ ଶଙ୍କର ସାମଲଙ୍କ ଘର ଭାଙ୍ଗି ଯାଇଛି l କାଳବୈଶାଖୀରେ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବା ପାଇଁ ଗ୍ରାମବାସୀ ସ୍ଥାନୀୟ ଆରଆଇ ଅଫିସରେ ଦାବି କରିଛନ୍ତି |